ବିହାର କ୍ୟାଡର ଯିବେ ଆଇଏଏସ ସଞ୍ଜୟ ସିଂହ

 ବିହାର କ୍ୟାଡର  ଯିବେ ଆଇଏଏସ ସଞ୍ଜୟ ସିଂହ
Samaya Live News Picture
Published On

ଭୁବନେଶ୍ୱର  : ଓଡ଼ିଶା ଛାଡ଼ିବେ ଆଇଏଏସ ସଞ୍ଜୟ କୁମାର ସିଂ । ଇଣ୍ଟର-କ୍ୟାଡର ଡେପୁଟେସନରେ ନିଜ ଗୃହ ରାଜ୍ୟ ବିହାର କ୍ୟାଡରକୁ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ କେନ୍ଦ୍ର ସରକାର ଅକ୍ଟୋବର ୨୨ ତାରିଖରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଭିଜିଲାନ୍ସ ରିପୋର୍ଟ ଥିଲେ  । ୧୯୯୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସଞ୍ଜୟ କୁମାର ସିଂ ଓଡ଼ିଶା ସରକାରଙ୍କ ପୂର୍ତ୍ତ ଏବଂ ଖାଦ୍ୟ ଯୋଗାଣ ଓ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ଶ୍ରୀ ସିଂଙ୍କର ଚାକିରି ଆଉ ୫ବର୍ଷ ରହିଛି ।

ସେ ନିଜ ଗୃହ ରାଜ୍ୟକୁ ଯିବା ପାଇଁ ଆବେଦନ କରିବା ପରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପ୍ରଶିକ୍ଷଣ ବିଭାଗ (DoPT) ପକ୍ଷରୁ ଓଡ଼ିଶା ସରକାରଙ୍କୁ ଚିଠି ଲେଖି ତାଙ୍କର ଭିଜିଲାନ୍ସ କ୍ଲିଅରାନ୍ସ ରିପୋର୍ଟ ମଗାଯାଇଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଅନୁସଚିବ ରୂପେଶ କୁମାର ଅକ୍ଟୋବର ୨୨ତାରିଖରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କୁ ଚିଠି ଲେଖି ଆଇଏଏସ୍ ସଞ୍ଜୟ କୁମାର ସିଂହଙ୍କର ଓଡ଼ିଶାରୁ ବିହାରକୁ ଇଣ୍ଟର କ୍ୟାଡ଼ର ଡେପୁଟେସନ୍ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି। ତାଙ୍କ ଡେପୁଟେସନ୍ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ସଦ୍ୟତମ ଭିଜିଲାନ୍ସ କ୍ଲିୟରାନ୍ସ ବା ଭିଜିଲାନ୍ସ ସ୍ଥିତି ଓ ସର୍ବଶେଷ ସ୍ଥାବର ସମ୍ପତ୍ତି ବିବରଣୀ ଫାଇଲିଂର ରିପୋର୍ଟ ଅତ୍ୟନ୍ତ ଜରୁରୀ ଭାବେ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ।

ସୂଚନାଯୋଗ୍ୟ ଯେ, ପୂର୍ତ୍ତ ବିଭାଗ ଓ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ ସମ୍ଭାଳିବା ପୂର୍ବରୁ ଶ୍ରୀ ସିଂ ପ୍ରାୟ ୭ ବର୍ଷ ଧରି ବିହାରରେ ଆନ୍ତଃ-କ୍ୟାଡ଼ର ଡେପୁଟେସନରେ ସଫଳତାର ସହ କାର୍ଯ୍ୟ କରିସାରିଛନ୍ତି । ୨୦୦୮ ମସିହା ଫେବୃଆରୀରୁ ୨୦୧୫ ମସିହା ଫେବୃଆରୀ ପର୍ଯ୍ୟନ୍ତ ବିହାର କ୍ୟାଡ଼ରରେ ଅବସ୍ଥାପିତ ଥିଲେ । ଏହି ଅବଧିରେ ସେ ଗୟା ଓ ପାଟନା ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ଏହାସହ ବିହାର ଗୃହ ବିଭାଗର ଅତିରିକ୍ତ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ପଦ ସମ୍ଭାଳିଥିଲେ ।

Tags: