ବିବାହକୁ ମାସଟିଏ ନପୂରୁଣୁ ସ୍ତ୍ରୀଙ୍କୁ ହତ୍ୟା କରି ସ୍ୱାମୀ ଫେରାର
ନିଶ୍ଚିନ୍ତକୋଇଲି : ହାତରୁ ମେହେନ୍ଦି ଲିଭିବା ଆଗରୁ ଲିଭିଗଲା ଜୀବନ ଦୀପ । ସାତ ଜନ୍ମ ପାଇଁ ସାଥି ହୋଇ ରହିବେ ବୋଲି ଯେଉଁ ସ୍ୱାମୀଙ୍କ ହାତଧରି ଶାଶୁ ଘରକୁ ଆସିଥିଲେ ବିବାହକୁ ମାସଟିଏ ନ ପୂରୁଣୁ ସେହି ଜହ୍ଲାଦ ସ୍ୱାମୀ ହାତରେ ଯାଇଛି ଜୀବନ । ଟାଙ୍ଗିଆରେ ସ୍ତ୍ରୀକୁ ହତ୍ୟା କରି ଫେରାର ହଇଯାଇଛି ହତ୍ୟାକାରୀ ସ୍ୱାମୀ । ଏଭଳି ନାରକୀୟ କାଣ୍ଡ ଘଟିଛି କଟକ ଜିଲ୍ଲା ନେମାଳ ଥାନା ସହଦେବପୁର ଗାଁରେ । ପାରିବାରିକ କଳହକୁ ନେଇ ଗତକାଲି ବିଳମ୍ଵିତ ରାତିରେ ସ୍ତ୍ରୀ ରୋଜାଲିନକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ଵାମୀ ଶୈଳେନ୍ଦ୍ର ମଲିକ ।
ସୂଚନାନୁଯାୟୀ, ନେମାଳ ଥାନା ସହଦେବପୁର ଗାଁର ଶୈଳେନ୍ଦ୍ର ମଲିକ ଜୁଲାଇ ୧୨ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅଞ୍ଚଳର ନାନକାର ଗାଁର ରୋଜାଲିନଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଗତକାଲି ରାତିରେ ଖିଆପିଆ ସାରି ସ୍ଵାମୀ-ସ୍ତ୍ରୀ ଦୁହେଁ ଶୋଇବାକୁ ଯାଇଥିଲେ । ହଠାତ୍ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଶୈଳେନ୍ଦ୍ର ଏକ ଟାଙ୍ଗିଆରେ ରୋଜାଲିନଙ୍କୁ ଲହୁଲୁହାଣ କରି ପକାଇଥିଲେ । ପାଖ ଘରେ ଶୋଇଥିବା ବାପା-ମା ଓ ଭାଇଙ୍କୁ ହାଣିବ ବୋଲି ମଧ୍ୟ କବାଟ ବାଡେଇଥିଲେ । ଏହାପରେ ସେ ଘରୁ ବାହାରି ଯାଇଥିଲେ । ଗତ ୨ ମାସ ତଳେ ଶୈଳେନ୍ଦ୍ର ଅହମଦାବାଦରେ କମ୍ପାନୀ ଚାକିରୀ ଛାଡି ଆସିଥିଲେ । ତେବେ କେଉଁ କାରଣ ପାଇଁ ଶୈଳେନ୍ଦ୍ର ଏଭଳି କାଣ୍ଡ ଘଟିଲେ ତାହା ସଠିକ ଜଣାପଡିନାହିଁ । ସେପଟେ, ଏହି ଘଟଣାରେ ଶୈଳେନ୍ଦ୍ରଙ୍କ ପରିବାର ଲୋକେ ସାମିଲ ଥିବା ନେଇ ରୋଜାଲିନଙ୍କ ଘର ଲୋକ ଥାନାରେ ଏତଲା ଦେଇଛନ୍ତି ।




