ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା'
ଭୁବନେଶ୍ୱର : ହ୍ୟୁମାନଙ୍କ ମୃତ୍ୟୁ ପଛରେ ସାଂଘାତିକ ଷଡ଼ଯନ୍ତ୍ର । ଏକ ମାସରୁ ଉର୍ଦ୍ଧ୍ବ ବିତିଯାଇଥିଲେ ମଧ୍ୟ ହ୍ୟୁମାନଙ୍କ ମୃତ୍ୟୁ ଉପରୁ ହଟୁନି ପରଦା I ତେବେ ଷଡଯନ୍ତ୍ର କରି ହ୍ୟୁମାନଙ୍କୁ ବିଷ ଦିଆଯାଇ ହତ୍ୟା ନେଇ ଥାନାରେ ଏତଲା ଦେଲେ ହ୍ୟୁମାନ ଙ୍କ ମା' ଶେଫାଳୀ ସୁନା । ଗତକାଲି ଶେଫାଳି କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି । ଏତଲାରେ ସେ ବୋହୂ ଶ୍ରେୟା ମିଶ୍ର, କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ, ଦୁଇ ମ୍ୟାନେଜରଙ୍କ ସମେତ ପ୍ରାୟ ୧୦ରୁ ଅଧିକ ଲୋକଙ୍କ ନାଁରେ ଆଭିଯୋଗ ଆଣିଛନ୍ତି । ପତ୍ନୀ ଶ୍ରେୟା ମିଶ୍ରଙ୍କ ବିରୋଧରେ ଆଣିଛନ୍ତି ମାନସିକ ନିର୍ଯାତନା ଅଭିଯୋଗ।
ଥାନାରେ ଏତଲା ପରେ ମା’ ଗଣମାଧ୍ୟମକୁ ଆବେଗଭରା ମନ୍ତବ୍ୟ ଦେଇଛନ୍ତି । ପୁଅ ବିନା ମୋର ଆଉ କେହି ନାହିଁ କହି କାନ୍ଦି ପକାଇଲେ ମା’ । ପୁଅର ମୃତ୍ୟୁ ପାଇଁ ମୁଁ କାହାକୁ ଦୋଷ ଦେଉ ନାହିଁ, ତଦନ୍ତରେ ସତ ପଦାକୁ ଆସୁ । କଟକରୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର ବେଳେ ପୁଅ ଚାଲୁଥିଲା । ଗୋଟିଏ ଷ୍ଟ୍ରେଚରରୁ ଅନ୍ୟ ଷ୍ଟ୍ରେଚରକୁ ଚାଲି ଚାଲି ଯିବା କଥା ଦିନେଶ କହିଛି । ଏପରି ହଠାତ କଣ ହେଲା ଯେ ତା ଅର୍ଗାନ ଫେଲିଓର ହୋଇଗଲା ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।
ସେହିପରି ବୋହୁ ଶ୍ରେୟା ଓ ତାଙ୍କ ପରିବାର ହ୍ୟୁମାନଙ୍କୁ ଦୀର୍ଘ ଦିନ ଧରି ମାନସିକ ନିର୍ଯାତନା ଦେଇ ଆସୁଥିଲେ। ପାରିବାରିକ କଳହ, ମିଥ୍ୟା ଅପବାଦ ଏବଂ ଝିଅ ଦେଖା କରିବାକୁ ନ ଦେବା ଫଳରେ ହ୍ୟୁମାନ ଭାଙ୍ଗି ପଡ଼ିଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ମାନସିକ ଚାପ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିବା ଶେଫାଳୀ ସୁନା ଦର୍ଶାଇଛନ୍ତି । ଏହା ସହ ସଙ୍ଗୀତ ନିର୍ଦ୍ଦେଶକ ଅର୍ପିତା ଚୌଧୁରୀ, ମ୍ୟାନେଜର ଦିନେଶ ବେହେରା, ପ୍ରଶାନ୍ତ ବେହେରା, ସୋମେଶ ଶତପଥୀ ଏବଂ ଡାକ୍ତର ଶୁଭେନ୍ଦୁ ମିଶ୍ରଙ୍କ ଭଳି ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ପାଇଁ ଏତଲାରେ ଦାବି କରିଛନ୍ତି । ଷଡ଼ଯନ୍ତ୍ର କରି ବିଷ ପ୍ରୟୋଗ ଦ୍ବାରା ହ୍ୟୁମାନଙ୍କୁ ମାରିଦିଆଯାଇଥିବା ସେ ଆଶଙ୍କା କରିଛନ୍ତି। ଏହି ସବୁ ଘଟଣାକୁ ଦେଖିଲେ ପୁଅ ହ୍ୟୁମାନର ମୃତ୍ୟୁକୁ ନେଇ ମୋତେ ସନ୍ଦେହ ଲାଗୁଛି । ଅର୍ପିତା ଚୌଧୁରୀ ବେଶି ଘରକୁ ଆସୁଥିଲା, ତା ପାଇଁ ପୁଅ ଡିପ୍ରେସନରେ ଥିଲା ।
ମୃତ୍ୟୁର ଖୁଲାସା ପାଇଁ ସିସିଟିଭି ଫୁଟେଜ, ହ୍ୟୁମାନଙ୍କ ଆର୍ଥିକ କାରବାର, ଡିଜିଟାଲ ଏଭିଡେନସ ଓ ମେଡିକାଲ ରିପୋର୍ଟ ଯାଞ୍ଚ ପାଇଁ ଦାବି କରିଛନ୍ତି । ଶେଫାଳୀ ସୁନାଙ୍କ ଏତଲା ପରେ ଓଲିଉଡ଼ରେ କମ୍ପନ ସୃଷ୍ଟି ହୋଇଛି । ବିଏନଏସ୍ ଧାରା 356(2), 351(2),3(5),115(2),318(4),61 ଅନୁଯାୟୀ ମାମଲା ରୁଜୁ କରିଛି କମିଶନରେଟ୍ ପୋଲିସ । ପରିବାରବର୍ଗ ଙ୍କ ଅଭିଯୋଗ ପରେ, ବିଏନ୍ଏସ ଏସ ର ଧାରା 194 ଅନୁଯାୟୀ ଆଉ ଗୋଟିଏ ମାମଲା ମଧ୍ୟ ରୁଜୁ ରିଛି ପୋଲିସ ।




