ନିରବି ଗଲେ ହ୍ୟୁମାନ,ଜନ୍ମ ମାଟିରେ ହେବ ଶେଷକୃତ୍ୟ

ନିରବି ଗଲେ ହ୍ୟୁମାନ,ଜନ୍ମ ମାଟିରେ ହେବ ଶେଷକୃତ୍ୟ
Samaya Live News Picture
Published On

ଭୁବନେଶ୍ୱର : ସଙ୍ଗୀତ ଜଗତର ଏକ ଉଜ୍ଜ୍ୱଳ ତାରକାଙ୍କ ଚିର ବିଦାୟ । ସବୁଦିନ ପାଇଁ ନିରବି ଯାଇଛନ୍ତି ଓଲିଉଡ଼ର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ୯.୮ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୬ ବର୍ଷ ବୟସ ହୋଇଥିଲା । କିଛି ଦିନ ପୂର୍ବରୁ ସେ କିଡ୍ନୀ ଏବଂ ଲିଭର ଜନିତ ରୋଗରେ ପୀଡିତ ହୋଇ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଗତ ୧୪ ତାରିଖ ଦିନ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତର କରାଯାଇଥିଲା । ଶ୍ବାସକ୍ରିୟା ସମସ୍ୟା ଯୋଗୁଁ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କର ଏକାଧିକ ଅଙ୍ଗ ଅଚଳ ହୋଇପଡ଼ିଥିଲା । ହ୍ୟୁମାନଙ୍କ ଅକାଳ ବିୟୋଗରେ ସମଗ୍ର ଓଲିଉଡ଼ ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଯାଇଛି । ତାଙ୍କ ଫ୍ୟାନ୍ସ ମହଲରେ ଶୋକର ଛାୟା ଖେଳିଯାଇଛି ।

ମେଡିକାଲରୁ ହ୍ୟୁମାନଙ୍କ ପାର୍ଥିବ ଶରୀର କଟକ ସ୍ଥିତ ବାସଭବନକୁ ନିଆଯାଇଥିଲା, ସେଠାରେ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ସେଠାରୁ ହ୍ୟୁମାନଙ୍କ ପାର୍ଥିବ ଶରୀର ଟିଟିଲାଗଡ ସ୍ଥିତ ବାସଭବନକୁ ନିଆଯାଉଛି । ସେଠାରେ ପରିବାର ଓ ବନ୍ଧୁ ପରିଜନ ଶେଷ ଦର୍ଶନ କରିବା ପରେ ଶେଷ କୃତ୍ୟ ସମ୍ପନ୍ନ ହେବ ।

୧୯୯୦ ମସିହା ନଭେମ୍ବର ୨୫ରେ ହ୍ୟୁମାନ ସାଗର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଜନ୍ମ ଗ୍ରହଣ କରିଥିଲେ I ଗାୟକ ହେବାପରେ ସେ କଟକ ସିଡିଏ-୯ରେ ରହୁଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଥିଲେ ତାଙ୍କର ଗୁରୁ । ଓଡିଆ ଚଳଚ୍ଚିତ୍ର ଓ ଆଲବମରେ ବହୁ ରୋମାଣ୍ଟିକ ଗୀତ ଭେଟିଦେଇଛନ୍ତି ହ୍ୟୁମାନ ସାଗର । ପ୍ରଥମେ ଏକ ଘରୋଇ ଚ୍ୟାନେଲ ରେ ଆମରି ସ୍ୱର ରେ ଭାଗ ନେଇଥିଲେ ହ୍ୟୁମାନ ସାଗର ଓ ତାପରେ ଆଉ ଏକ ଘରୋଇ ଚ୍ୟାନେଲ ର ଏକ ରିଆଲିଟି ଶୋ ରେ ଭାଗ ନେଇଥିଲେ।ସେହି ଶୋ ର ନା ହେଲା VOICE OF ODISHA ସେଥିରେ ବିଜେତା ହୋଇଥିଲେ ୨୦୧୨ ମସିହାରେ। କିନ୍ତୁ ୨୦୧୨ ମସିହା ପୂର୍ବରୁ ବହୁତ ଥର ବିଭିନ୍ନ ଗୀତ ଷ୍ଟୁଡ଼ିଓ ରେ ବସି ରହୁଥିଲେ ଗୀତ ଗାଇବାର ସୁଯୋଗ ପାଇଁ। କିନ୍ତୁ ଗୀତ ଗାଇବାର ସୁଯୋଗ ପାଇନଥିଲେ ହ୍ୟୁମାନ। ଯେତେବେଳେ ଘରୋଇ ଶୋ ରେ ବିଜେତା ହେଲେ ହ୍ୟୁମାନ ଙ୍କ ଭାଗ୍ୟ ଖୋଲିଗଲା । ପ୍ରଥମ ଫିଲ୍ମ something something ପାର୍ଟ 2 ରେ ପ୍ରେମ ହେଇଯାଏ ରେ ଓ 'ଇସ୍କ ତୁ ହି ତୁ' ରେ ଗୀତ ଗାଇବାର ସୁଯୋଗ ପାଇଥିଲେ। ନିଜର ସୁରିଲା କଣ୍ଠ ରେ ଗୀତ ଗାଇ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଲେ ହ୍ୟୁମାନ ।

ଫିଲ୍ମ ଓ ଆଲବମରେ ଗାଇଥିବା ସୁପର ହିଟ ଗୀତ-ନିଶ୍ୱାସ ତୋ ବିନା, ତୋ ପ୍ରେମରେ ଆଜି ପାଗଳ ମୁଁ, ଗଜଲ ଗଜଲ, ଭିଜେଇ ଦେଇ ଯାଆ ଥରେ, ହାତ ଧରି ମୋର ଚାଲି ଶିଖେଇଲ ବାପା ବାପା, ସ୍ମାର୍ଟ ସିଟି ଝିଅଟା ଆସି ପିଟି ହେଲାରେ, ଆଧାର କାର୍ଡ଼ ଲିଙ୍କ ହେଲେ, ତୁ ଠକିଦେଲୁ, ତୁ ଠକିଦେଲୁ, ଟାଇମ ଗୋଟେ ଝିଅଟେ ତୁ କରିଲୁ ପାଗଳ, ମା ତୋ ବିନା ମୁ ରହି ପାରିବିନି, ତୁ ମେଘ ହେଇଯା ମତେ ସାଥେ ନେଇଯା। ଏମିତି ଶହ ଶହ ସୁପରହିଟ୍ ଗୀତ ସବୁ ୧୩ ବର୍ଷ ଧରି ଶ୍ରୋତାମାନଙ୍କୁ ଭେଟି ଦେଇଛନ୍ତି ହ୍ୟୁମାନ । ୨୦୧୭ ମସିହାରେ ସେ ଶ୍ରୀୟା ମିଶ୍ରଙ୍କୁ ବିବାହ କରିଥିଲେ ।  

ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ହ୍ୟୁମାନଙ୍କ ଦେହାନ୍ତ ଓଡ଼ିଶାର ସଙ୍ଗୀତ ଓ ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି,ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସଙ୍ଗୀତ ଜଗତର ଅନେକ ବ୍ୟକ୍ତି ବିଶେଷ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Tags: