ହ୍ୟୁମାନଙ୍କ ମୃତ୍ୟୁ ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ - ADCP
କଟକ : ପ୍ରତିଷ୍ଠିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣା। ହ୍ୟୁମାନଙ୍କ ମା’ ଶେଫାଳୀ ସୁନାଙ୍କ ଏତଲା ପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି କହିଛନ୍ତି କଟକ ADCP ଅମରେନ୍ଦ୍ର ପଣ୍ଡା । ଘଟଣାରେ ସମ୍ପୃକ୍ତି ଥିବା ୯ ଜଣଙ୍କ ବିରୋଧରେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ଶେଫାଳୀ ସୁନା । ଅଭିଯୋଗ ଆଧାରରେ କେସ୍ ରୁଜୁ କରିଛି ପୋଲିସ । ଯେଉଁମାନଙ୍କ ନାଁ ଏତଲାରେ ରହିଛି, ସେମାନଙ୍କୁ ନୋଟିସ୍ କରି ଡକାଯିବ ଓ ପଚରାଉଚରା କରାଯିବ । ଆଇନର ପ୍ରକ୍ରିୟା ଅନୁଯାୟୀ ସୁରୁଖୁରୁରେ ଆମେ ତଦନ୍ତ କରିବୁ ବୋଲି କହିଛନ୍ତି କଟକ ଏଡିସିପି ଅମରେନ୍ଦ୍ର ପଣ୍ଡା ।
ହ୍ୟୁମାନଙ୍କ ଉପରେ ଅତ୍ୟାଚାର କରାଯାଉଥିଲା, ଚାପ ମଧ୍ୟ ପ୍ରୟୋଗ କରାଯାଉଥିଲା । ଚିକିତ୍ସାରେ ଅବହେଳା ,ଆର୍ଥିକ ହେରଫେର, ଏମିତି ଏକାଧିକ ସଙ୍ଗୀନ ଅଭିଯୋଗ ନେଇ କଟକ ମର୍କତ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ହ୍ୟୁମାନ ସାଗରଙ୍କ ମା’ ।
ଯେଉଁମାନେ ହ୍ୟୁମାନଙ୍କ ଅତ୍ୟନ୍ତ ନିକଟତର ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମଧ୍ୟ ଦାବି କରିଥିଲେ । ହ୍ୟୁମାନଙ୍କ ମା’ଙ୍କ ଦାବି ଅନୁସାରେ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ଚିକିତ୍ସା କରୁଥିବା ଡ଼ାକ୍ତର, ବାନ୍ଧବୀ ଅର୍ପିତା ଚୌଧୁରୀ, ମ୍ୟାନେଜର ଦିନେଶ ବେହେରା, ମହମ୍ମଦ ଆବିଦ୍ ଓରଫ ବବଲୁଙ୍କ ସହ ଏକାଧିକ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଏତଲାରେ ଉଲ୍ଲେଖ ରହିଛି ।




