ଭୁବନେଶ୍ୱରରେ ବିଜେଡି ର ବିଶାଳ ଗଣ ଧାରଣ
ଆଜି ମଧ୍ୟ ଗୃହ ଅଚଳ
ଭୁବନେଶ୍ୱର : ଏମଏମଡିଆର ପ୍ରତ୍ୟାହାର ଦାବିରେ ଆଜି ଭୁବନେଶ୍ୱର ଲୋୟର ପିଏମଜି ଠାରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିଶାଳ ଗଣ ଧାରଣା ଓ ଜନସମାବେଶ ଆୟୋଜନ କରାଯାଇଛି । କେନ୍ଦ୍ର ସରକାରଙ୍କ ସଂଶୋଧିତ ଏମଏମଡିଆର (ଖଣି ଓ ଖଣିଜ ପଦାର୍ଥ ଉନ୍ନୟନ ଓ ନିୟମିତକରଣ) ଆଇନ, ୨୦୨୬ ବିରୋଧରେ ଏହି ତୀବ୍ର ପ୍ରତିବାଦ କରାଯାଉଛି । ଏମଏମଡିଆରକୁ ବିଜେଡି ଏକ "କଳା ଆଇନ" ବୋଲି ଅଭିହିତ କରିଛି ।
ବିଜେଡି କହିଛି ଓଡିଶାକୁ ଥାଳ ଧରାଇବାକୁ ସରକାର ପ୍ରୟାସ କରୁଛନ୍ତି । ଏହି ଆନ୍ଦୋଳନର ନେତୃତ୍ୱ ସ୍ୱୟଂ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନେଉଛନ୍ତି । ଏହି ଗଣ ଧାରଣାରେ ଓଡ଼ିଶାର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ହଜାର ହଜାର ସଂଖ୍ୟାରେ ବିଜେଡି ନେତା, କର୍ମୀ ଓ ଯୁବ-ଛାତ୍ର ସଂଗଠନର ସଦସ୍ୟ ସାମିଲ ହୋଇଛନ୍ତି ।
ଏହି ସଂଶୋଧନ ଦ୍ୱାରା ଖଣି ଉପରେ ରାଜ୍ୟ ସରକାରଙ୍କ ଥିବା ସାମ୍ବିଧାନିକ ଅଧିକାର ଏବଂ ସଂଘୀୟ ବ୍ୟବସ୍ଥା କ୍ଷୁର୍ଣ୍ଣ ହେଉଛି ବୋଲି ଦଳ ଅଭିଯୋଗ କରିଛି । ବିଜେଡିର ଦାବି ଅନୁଯାୟୀ, ଏହି ନୂଆ ସଂଶୋଧିତ ଆଇନ କାର୍ଯ୍ୟକାରୀ ହେଲେ ଓଡ଼ିଶା ପ୍ରତିବର୍ଷ ପ୍ରାୟ ୧୨,୦୦୦ କୋଟି ଟଙ୍କାରୁ ଅଧିକ ଖଣି ରାଜସ୍ୱ ହରାଇବ । ଏହି ଆଇନ ଦ୍ୱାରା ରାଜ୍ୟର ଆଦିବାସୀ ସଂପ୍ରଦାୟର ସ୍ୱାର୍ଥ, ଭୂମି ଏବଂ ଜୀବିକା ଗମ୍ଭୀର ଭାବେ ପ୍ରଭାବିତ ହେବ
ସେପଟେ, ଆଜି ମଧ୍ୟ ଗୃହ ଚଳାଇ ଦେଇ ନାହାନ୍ତି ବିରୋଧୀ । ନାରାବାଜି ଏବଂ ହୋହଲ୍ଲା ଯୋଗୁଁ ଗୃହକୁ ୧୧ଟା ୩୦ ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି ।
ଚଳିତ ମୌସୁମୀ ଅଧିବେଶନ ଆରମ୍ଭରୁ ବିଧାନସଭାର ଗୋଟିଏ ବି ଦିନ ଚାଲୁପାରୁନି । ବିରୋଧୀ ଏମଏମଡିଆର ଏବଂ ବହି ତ୍ରୁଟି ପ୍ରସଙ୍ଗରେ ନାରାବାଜି ଏବଂ ହୋହାଲ୍ଲା କରୁଛନ୍ତି । ଏହି କ୍ରମରେ ଗତ ଚାରି ଦିନ ଧରି ଚାଲିଥିବା ଅଚଳାବସ୍ଥା ଆଜି ମଧ୍ୟ ଦେଖାଦେଇଛି । ସୋମବାର ବିଧାନସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ହୋହାଲ୍ଲା କରିଥିଲେ । ବାଚସ୍ପତି ବିରୋଧୀ ସଦସ୍ୟଙ୍କୁ ବାରମ୍ବାର ଅନୁରୋଧ କରୁଥିଲେ । କିନ୍ତୁ ବିରୋଧୀ ଶୁଣିବାକୁ ନାରାଜ । ଯାହାଫଳରେ ବିଧାନସଭାକୁ ୧୧ଟା ୩୦ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।




