ଗର୍ଭପାତର କେତେ ଦିନ ପରେ ଆପଣ ପୁନର୍ବାର ଗର୍ଭଧାରଣ ପାଇଁ ଚେଷ୍ଟା କରିପାରିବେ?
ଭୁବନେଶ୍ୱର: ଗର୍ଭନଷ୍ଟ ହେବା ପରେ, ପରବର୍ତୀ ଗର୍ଭଧାରଣ ପାଇଁ ଯୋଜନା କରିବା କେତେ ସମୟ ଅପେକ୍ଷା କରିବାକୁ ହେବ ତାହା ସ୍ଥିର କରିବାଠାରୁ ଅଧିକ କିଛି ଅନ୍ତର୍ଭୁକ୍ତ ରହିଥାଏ। ଜଣେ ଡାକ୍ତର ଆପଣଙ୍କ ଶରୀର ସୁସ୍ଥ ହୋଇଛି କି ନାହିଁ ବିଚାର କରନ୍ତି, ପୂର୍ବ ଗର୍ଭନଷ୍ଟର ବିବରଣୀ ଯାଂଚ କରନ୍ତି ଏବଂ ଭବିଷ୍ୟତର ଗର୍ଭଧାରଣ ଉପରେ କୌଣସି କାରକର ପ୍ରଭାବ ପଡିବାର ସମ୍ଭାବନା ରହିଛି କି ନାହିଁ ତାହା ଆକଳନ କରନ୍ତି। ଯେଉଁ ଦମ୍ପତିମାନେ ବାରମ୍ବାର ଗର୍ଭପାତର ସମ୍ମୁଖୀନ ହୋଇଛନ୍ତି, ସେମାନଙ୍କ ପାଇଁ ଏହି ପ୍ରକ୍ରିୟା ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ଭୁବନେଶ୍ୱରସ୍ଥିତ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍ର ଫର୍ଟିଲିଟି ବିଶେଷଜ୍ଞ ଡାକ୍ତର ଅମୃତା ନନ୍ଦ କହିଛନ୍ତି।
ବାରମ୍ବାର ଗର୍ଭପାତ କହିଲେ ଦୁଇ କିମ୍ବା ତାହାଠାରୁ ଅଧିକ ଥର ଗର୍ଭନଷ୍ଟ ହେବାକୁ ବୁଝାଏ। ଏହା ବିଭିନ୍ନ କାରଣରୁ ହୋଇପାରେ, ଯେପରିକି କ୍ରୋମୋଜୋମ୍ଗତ ଅସ୍ୱାଭାବିକତା, ଗର୍ଭାଶୟରେ ପରିବର୍ତନ, ହରମୋନ୍ଜନିତ କିମ୍ବା ମେଟାବୋଲିକ୍ ସମସ୍ୟା, ରକ୍ତ ଜମାଟ ବାନ୍ଧିବା ଜନିତ ସମସ୍ୟା ଏବଂ ଅନ୍ୟାନ୍ୟ ଚିକିତ୍ସକୀୟ କାରଣ। କିଛି ମାମଲରେ ଯାଂଚ ପରେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ କାରଣ ଜଣାପଡେ ନାହିଁ। ଏହି ମୂଲ୍ୟାୟନର ଉଦ୍ଦେଶ୍ୟ ହେଉଛି ଦମ୍ପତିଙ୍କ ପ୍ରଜନନ ସ୍ୱାସ୍ଥ୍ୟକୁ ବୁଝିବା ଏବଂ ପରବର୍ତୀ ଗର୍ଭଧାରଣ ପାଇଁ ଉପଯୁକ୍ତ ପରାମର୍ଶ ପ୍ରଦାନ କରିବା।
ଗର୍ଭପାତ ପରେ ଭବିଷ୍ୟତର ଗର୍ଭଧାରଣ ମାନସିକ ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରିପାରେ। ଯଦିଓ କିଛି ଦମ୍ପତି ଖୁବ୍ଶୀଘ୍ର ପୁନର୍ବାର ଚେଷ୍ଟା କରିବା ପାଇଁ ପ୍ରସ୍ତୁତ ଅନୁଭବ କରିପାରନ୍ତି, କିନ୍ତୁ ଅନ୍ୟମାନେ ସେହି ଅନୁଭୂତିରୁ ଆଗକୁ ବଢିବା ପାଇଁ ଅଧିକ ସମୟ ଆବଶ୍ୟକ କରିପାରନ୍ତି। ମାନସିକ ସ୍ତରରେ ପ୍ରସ୍ତୁତ ରହିବା ଏବଂ ନିଜ ସାଥୀ ତଥା ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହ ଖୋଲାଖୋଲି ଭାବେ ଆଲୋଚନା କରିବା ହେଉଛି ପରବର୍ତୀ ଗର୍ଭଧାରଣ ପାଇଁ ଯୋଜନା କରିବାର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ।
ଆପଣ ପୁନର୍ବାର ଗର୍ଭଧାରଣ ପାଇଁ କେବେ ଚେଷ୍ଟା କରିପାରିବେ?
ପ୍ରାରମ୍ଭିକ ଗର୍ଭପାତ ପରେ, କିଛି ସପ୍ତାହ ମଧ୍ୟରେ ଓଭୁଲେସନ୍ ପୁନର୍ବାର ଆରମ୍ଭ ହୋଇପାରେ; ଯାହାର ଅର୍ଥ ହେଉଛି ପରବର୍ତୀ ମାସିକ ଋତୁସ୍ରାବ ଆସିବା ପୂର୍ବରୁ ମଧ୍ୟ ଗର୍ଭଧାରଣ ସମ୍ଭବ ହୋଇପାରେ। ଯେତେବେଳେ ଗର୍ଭପାତର ସମ୍ପୂର୍ଣ୍ଣ ଚିକିତ୍ସା ଶେଷ ହୋଇଯାଏ ଏବଂ କୌଣସି ସମସ୍ୟା ନଥାଏ, ସେତେବେଳେ ଅନେକ ଦମ୍ପତି ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ ଅନୁଭବ କରିବା ପରେ ପୁନର୍ବାର ଚେଷ୍ଟା କରିବା ବିଷୟରେ ବିଚାର କରିପାରିବେ।
ଯେଉଁ ଦମ୍ପତିଙ୍କର ବାରମ୍ବାର ଗର୍ଭପାତ ହୋଇଛି, ସେମାନେ ପୁନର୍ବାର ଗର୍ଭଧାରଣ ପାଇଁ ଚେଷ୍ଟା କରିବା ପୂର୍ବରୁ ଜଣେ ପ୍ରଜନନ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଉଚିତ୍ ଯାହାଦ୍ୱାରା ପୂର୍ବ ଗର୍ଭାବସ୍ଥାର ଇତିହାସ, ଉପଲବ୍ଧ ରିପୋର୍ଟ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନ୍ୟାନ୍ୟ ବିଷୟଗୁଡିକର ସମୀକ୍ଷା କରାଯାଇପାରିବ। ଏହାଫଳରେ ପରବର୍ତୀ ଗର୍ଭଧାରଣ ଯୋଜନା କୌଣସି ନିର୍ଦ୍ଦିଷ୍ଟ ସମୟସୀମା ବଦଳରେ ବ୍ୟକ୍ତିଗତ ଆବଶ୍ୟକତା ଉପରେ ଆଧାରିତ ହୋଇପାରିବ।
ଏକ ପୂର୍ବ ଗର୍ଭପାତ ପରବର୍ତୀ ଗର୍ଭାଧାରଣକୁ ପ୍ରଭାବିତ କରିଥାଏ କି?
ଏକ ପୂର୍ବ ଗର୍ଭପାତର ଅର୍ଥ ଏହା ନୁହେଁ ଯେ ଭବିଷ୍ୟତର ଗର୍ଭଧାରଣର ଫଳାଫଳ ମଧ୍ୟ ସମାନ ହେବ। ଗର୍ଭପାତର ଇତିହାସ ଥିବା ସତ୍ୱେ ଅନେକ ଦମ୍ପତି ପରବର୍ତୀ ସମୟରେ ସଫଳ ଭାବେ ଗର୍ଭଧାରଣ କରିପାରିଥାନ୍ତି।
ବାରମ୍ବାର ଗର୍ଭପାତ ପରେ, ଧ୍ୟାନ ଆବଶ୍ୟକ କରୁଥିବା କାରକଗୁଡିକୁ ଚିହ୍ନଟ କରିବା ଏବଂ ପରବର୍ତୀ ଗର୍ଭାବସ୍ଥା ସମୟରେ ଉପଯୁକ୍ତ ସହଯୋଗ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯିବା ଉଚିତ। ବ୍ୟକ୍ତିଗତ ସ୍ଥିତି ଉପରେ ନିର୍ଭର କରି, ଏଥିରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିୟମିତ ଯାଂଚ, ପ୍ରାରମ୍ଭିକ ଗର୍ଭାବସ୍ଥା ସ୍କାନ୍ କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ଅନ୍ତର୍ଭୁକ୍ତ ହୋଇପାରେ।
ଆପଣଙ୍କ ଶରୀର ପୁନର୍ବାର ଗର୍ଭଧାରଣ ପାଇଁ ପ୍ରସ୍ତୁତ କି ନୁହେଁ, ତାହା କିପରି ଜାଣିବେ?
ଆଉ ଏକ ଗର୍ଭଧାରଣ ପାଇଁ ଯୋଜନା କରିବା ପୂର୍ବରୁ, ଡାକ୍ତରମାନେ ସାଧାରଣତଃ ନିମ୍ନଲିଖିତ ପରାମର୍ଶ ଦେଇଥାନ୍ତି:
- ଗର୍ଭପାତ ପରେ ସମସ୍ତ ଆବଶ୍ୟକୀୟ ଚିକିତ୍ସା ଶେଷ ହୋଇଛି କି ନାହିଁ ଏବଂ ସଂକ୍ରମଣ କିମ୍ବା ଦୀର୍ଘ ସମୟ ପର୍ଯ୍ୟନ୍ତ ରକ୍ତସ୍ରାବ ଭଳି ସମସ୍ୟା ଅଛି କି ନାହିଁ।
- ମାସିକ ଋତୁଚକ୍ର ଫେରିଛି କି ନାହିଁ।
- ଆବଶ୍ୟକ ସ୍ଥିତିରେ ସୁପାରିଶ କରାଯାଇଥିବା ତଦନ୍ତ ସମାପ୍ତ ହୋଇଛି କି ନାହିଁ।
- ବିଦ୍ୟମାନ ଚିକିତ୍ସା ଅବସ୍ଥାଗୁଡ଼ିକୁ ଉପଯୁକ୍ତ ଭାବରେ ପରିଚାଳନା କରାଯାଉଛି କି ନାହିଁ।
- ଉଭୟ ସାଥୀ ଆଉ ଏକ ଗର୍ଭଧାରଣ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ ଅନୁଭବ କରୁଛନ୍ତି କି ନାହିଁ।
ବାରମ୍ବାର ଗର୍ଭପାତ ପରେ କେଉଁ ସବୁ ପରୀକ୍ଷା ପାଇଁ ସୁପାରିଶ କରାଯାଇପାରେ?
ବୟସ, ଚିକିତ୍ସା ଇତିହାସ ଏବଂ ପୂର୍ବ ଗର୍ଭାବସ୍ଥା ବିବରଣୀ ଉପରେ ଆଧାର କରି ମୂଲ୍ୟାଙ୍କନ ବ୍ୟକ୍ତିଗତ ହୋଇଥାଏ। ପରିସ୍ଥିତି ଉପରେ ନିର୍ଭର କରି, ଜଣେ ପ୍ରଜନନ ବିଶେଷଜ୍ଞ ନିମ୍ନଗୁଡିକ ସୁପାରିଶ କରିପାରନ୍ତି:
- ଗର୍ଭାଶୟ ମୂଲ୍ୟାଙ୍କନ: ଗର୍ଭାଶୟର ଗଠନ ଯାଂଚ କରିବା ଏବଂ ଗର୍ଭାବସ୍ଥାକୁ ପ୍ରଭାବିତ କରିପାରୁଥିବା ସମସ୍ୟାଗୁଡିକୁ ଚିହ୍ନଟ କରିବା।
- ହରମୋନ ଏବଂ ମେଟାବୋଲିକ୍ ମୂଲ୍ୟାଙ୍କନ: ଥାଇରଏଡ୍ ଫଙ୍କଶନ ଓ ଅନ୍ୟ ପ୍ରାସଙ୍ଗିକ ମୂଲ୍ୟାଙ୍କନ ଅନ୍ତର୍ଭୁକ୍ତ।
- ଜେନେଟିକ୍ ମୂଲ୍ୟାଙ୍କନ: କିଛି ନିର୍ଦ୍ଧିଷ୍ଟ ମାମଲାରେ ଦମ୍ପତି କିମ୍ବା ଗର୍ଭଧାରଣ ଟିସ୍ୟୁର ପରୀକ୍ଷା ପାଇଁ ବିଚାର କରାଯାଇପାରେ।
- ରକ୍ତ-ସମ୍ବନ୍ଧିତତ ଯାଂଚ: ଯେତେବେଳେ କିଛି ନିର୍ଦ୍ଧିଷ୍ଟ ରକ୍ତ ଜମାଟ ବାନ୍ଧିବା ସମ୍ପର୍କିତ ଚିନ୍ତା ସାମନାକୁ ଆସିଥାଏ।
ମୂଲ୍ୟାଙ୍କନର ଲକ୍ଷ୍ୟ ହେଉଛି କାହିଁକି ପୂର୍ବର କ୍ଷତି ପୁଣିଥରେ ଘଟିପାରେ ତାହାକୁ ବୁଝିବା ଏବଂ ସହଯୋଗକୁ ଚିହ୍ନଟ କରିବା ଯାହା ଭବିଷ୍ୟତର ଗର୍ଭଧାରଣରେ ସାହାଯ୍ୟ କରିପାରେ।
ବାରମ୍ବାର ଗର୍ଭପାତ ପରେ ପୁଣିଥରେ ଚେଷ୍ଟା କରିବା ହେଉଛି ଏଭଳି ଏକ ନିଷ୍ପତି ଯେଉଁଥିରେ ଡାକ୍ତରୀ ମାର୍ଗଦର୍ଶନ, ଶାରୀରିକ ସୁସ୍ଥତା ଓ ବ୍ୟକ୍ତିଗତ ପ୍ରସ୍ତୁତି ସାମିଲ ଥାଏ। ସମୟୋଚିତ ଯାଂଚ ଓ ଏକ ବ୍ୟକ୍ତିଗତ ଚିକିତ୍ସା ଯୋଜନା ସହିତ, ଦମ୍ପତିମାନେ ସେମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟ ଏବଂ ସେମାନଙ୍କର ଗର୍ଭାବସ୍ଥା ଯାତ୍ରାର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସହ ଆଗକୁ ବଢ଼ିପାରିବେ ।




