ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର SOP ଜାରି
ଭୁବନେଶ୍ୱର : ହିଟ୍ୱେଭ୍ ପାଇଁ SOP ଜାରି । ରାଜ୍ୟରେ ଜଳବାୟୁର ଅନିୟମିତତା ଏବଂ ବର୍ଦ୍ଧିତ ତାପମାତ୍ରାକୁ ଦୃଷ୍ଟିରେ ରଖି SOP ଜାରି କରିଛି ଗୃହ ଓ ନଗର ଉନ୍ନୟନ ବିଭାଗ । ବିଶେଷ କରି ସହରାଞ୍ଚଳରେ କଂକ୍ରିଟ୍ ଭିତ୍ତିଭୂମି ଯୋଗୁଁ ସୃଷ୍ଟି ହେଉଥିବା ଅତ୍ୟଧିକ ଗରମର ମୁକାବିଲା କରିବା ପାଇଁ ସମସ୍ତ ପୌରାଞ୍ଚଳକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅସାମାନ୍ୟ ବର୍ଷା ପରେ ଅନିୟମିତ ଜଳବାୟୁ ପରିସ୍ଥିତି କାରଣରୁ ରାଜ୍ୟରେ ଗ୍ରୀଷ୍ମ ଋତୁରେ ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଉସିଂ ଏବଂ ଅର୍ବନ ଡିଭେଲପମେଣ୍ଟ ବିଭାଗ ପକ୍ଷରୁ ସମସ୍ତ ଅର୍ବନ୍ ଲୋକାଲ୍ ବଡି (ULBs) ପାଇଁ ଏକ ବିସ୍ତୃତ SOP ଜାରି କରାଯାଇଛି ଓ କଠୋର ଭାବେ ଏହାକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ପାଣି ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି । ସମସ୍ତ ସହର ଅଞ୍ଚଳରେ ପ୍ରଚୁର ପାଣି ଯୋଗାଣ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ମିଳିଛି । ପାଇପ୍ଲାଇନ୍ ସମସ୍ତ ଭଲ ଅବସ୍ଥାରେ ରଖିବା ସହିତ, ଯେକୌଣସି ଅଭିଯୋଗକୁ ୨୪ ଘଣ୍ଟା ମଧ୍ୟରେ ସମାଧାନ କରିବାକୁ କୁହାଯାଇଛି । ଜଳ ଅଭାବ ଅଞ୍ଚଳରେ ଟ୍ୟାଙ୍କର୍ ଯୋଗେ ପାଣି ପହଞ୍ଚାଇବା ସହିତ ଆବଶ୍ୟକତା ଅନୁସାରେ ଅତିରିକ୍ତ ଟ୍ୟାଙ୍କର୍ ବ୍ୟବସ୍ଥା କରାଯିବ । ସମସ୍ତ ଟ୍ୟୁବ୍ୱେଲ୍ ଓ ହାଣ୍ଡପମ୍ପକୁ ସଚଳ ରଖିବା ସହିତ ମରାମତି ପାଇଁ ପୂର୍ବରୁ ଆବଶ୍ୟକ ସ୍ପେୟାର୍ ପାର୍ଟ୍ ମହଜୁଦ ରଖିବାକୁ କୁହାଯାଇଛି । ସହର ସ୍ତରର କାର୍ଯ୍ୟାଳୟରେ କଣ୍ଟ୍ରୋଲ୍ ରୁମ୍ ଖୋଲି ଜଳ ଅଭାବ ସମ୍ବନ୍ଧୀୟ ଅଭିଯୋଗ ନିରାକରଣ କରାଯିବ।



