ଗୃହ ଅଚଳ, ୧୧ ଟା ୩୦ ଯାଏଁ ମୁଲତବୀ ଘୋଷଣା
ଭୁବନେଶ୍ୱର : ଗୃହରେ ଥମୁନାହିଁ ଏସ୍ସିବି ତାତି । ଆଜି ମଧ୍ୟ ଚାଲିପାରିଲାନି ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି । ଯାହାକୁ ନେଇ ବାଚସ୍ପତି ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ପ୍ରତିଦିନ ହୋହାଲ୍ଲା ଏବଂ ବିକ୍ଷୋଭ ପ୍ରଦର୍ଶନରେ ଧୋଇଯାଉଛି ପ୍ରଶ୍ନକାଳ ଏବଂ ଶୁନ୍ୟକାଳ ।
ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ବିରୋଧୀ ସଦସ୍ୟମାନେ ପ୍ରତିବାଦ କରିଛନ୍ତି। ଏବଂ ଏସସିବି ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଗତ ୧୭ ତାରିଖରୁ ବିଧାନସଭାରେ ଏସ୍ସିବି ମେଡିକାଲ ପୋଡ଼ି ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ହେଲେ ଶାସକ ଦଳ ବିଧାନସଭାରେ ଆଲୋଚନା ପାଇଁ କହୁଛନ୍ତି । କିନ୍ତୁ ବିରୋଧୀ ନିଜ ଜିଦ୍ରେ ଅଟଳ ରହିଛନ୍ତି । ଯାହାକୁ ନେଇ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି ।
ଆଜି ଜଳ ସମ୍ପଦ, ରାଜସ୍ବ ବିପର୍ୟ୍ୟୟ ଖଣି ଇସ୍ପାତ, ଯୋଜନା ସଂଯୋଜନା, ବାଣିଜ୍ୟ ଓ ପରିବହନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ସେହିପରି ଅପରାହ୍ନ ରେ ଗୃହ ଓ ପୌର ଉନ୍ନୟନ ସହ ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ଶସକ୍ତି କରଣ ବିଭାଗ ର ଖର୍ଚ୍ଚ ଦାବି ଆଲୋଚନା ରହିଛି ।



