ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଧୋଇଗଲା ପ୍ରଶ୍ନକାଳ । ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ଧାନମଣ୍ଡି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ । ଗୃହର ମଧ୍ୟ ଭାଗରେ ହୋହଲ୍ଲା ଓ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ସୁରମା ପାଢୀ ଗୃହକୁ ପ୍ରଥମେ ୧୧ଟା ୩୦ମିନିଟ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ହେଲେ ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ମଧ୍ୟ ପୁଣି ଥରେ ସମାନ ପ୍ରସଙ୍ଗରେ ହୋହଲ୍ଲା କରିଥିଲେ ।
ଗୃହ କାର୍ଯ୍ୟରେ ବାରମ୍ବାର ସୃଷ୍ଟି ହେବାରୁ ବାଚସ୍ପତି ଆଜି ପାଇଁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଧାନମଣ୍ଡି ସମସ୍ୟାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଓ ବିଜେଡି ବିଧାୟକ ।
ସେପଟେ,ଆଜି ଗୃହରେ ବିଜେଡିର ନିଲମ୍ବିତ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ବିରୋଧୀଙ୍କ ସହ ହୋହଲ୍ଲାରେ ସାମିଲ ହୋଇଥିଲେ। ବିଜେଡି ବିଧାୟକଙ୍କ ସହ ପ୍ରତିବାଦ କରିବା ବେଳେ ଅରବିନ୍ଦ ହାତରେ ଏକ ପୋଷ୍ଟର ଧରିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଗତକାଲି ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀ ବିଜେଡି ବିଧାୟକ ମାନେ କକ୍ଷତ୍ୟାଗ କରିଥିବା ବେଳେ ନିଜ ସିଟରେ ବସି ରହିଥିଲେ ଅରବିନ୍ଦ ମହାପାତ୍ର । ଗତକାଲି ନିଜ ପ୍ରତିକ୍ରିୟାରେ ସେ କହଗିଥିଲେ ମୁଁ ଏବେ ସ୍ୱାଧୀନ,ମୋ ସିଟ ପରିବର୍ତ୍ତନ ହୋଇଥିବାରୁ ମୋତେ ଭଲ ଲାଗୁଛି । ମୋର ଯାହା ମତ ଅଛି ମୁଁ ତାହାକୁ ଗୃହରେ ଉପସ୍ଥାପନ କରିବି ।



