ହିଟ ଆଣ୍ଡ ରନ , ୨ମୃତ ୪ ଗୁରୁତର
ହତ୍ୟା ର ରୂପ ନେଲା ଚନ୍ଦ୍ରଶେଖରପୁର ଦୁର୍ଘଟଣା
ଭୁବନେଶ୍ୱର /କଟକ : ଟ୍ୱିନ ସିଟି ରେ ପୁଣି ହିଟ୍ ଆଣ୍ଡ ରନ୍ । ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । କେବଳ ଭୁବନେଶ୍ୱରରେ ୨ଟି ହିଟ ଆଣ୍ଡ ରନ ମାମଲାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ଜଣ ଆହତ ହୋଇଛନ୍ତି । ଚନ୍ଦ୍ରଶେଖରପୁର ଏବଂ ପାହାଳ ରେ ଘଟିଛି ୨ଟି ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକରେ ଯାଉଥିବା ତିନି ଆରୋହୀଙ୍କୁ ପଛପଟୁ ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ତିନି ଜଣ ଗୁରୁତର ହେଇଥିଲେ । ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ କାର ଚାଳକ ଗାଡ଼ି ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଟଣାର ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଫେରାର କାର୍ ଓ ଚାଳକଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୋଲିସ ।
ସେହିପରି,ପାହାଳରେ କାରକୁ ଘୋଷାଡ଼ି ନେଲା ଟ୍ରକ୍। ସତ୍ୟ ବିହାର ଛକରୁ ପାହାଳ ରାସ୍ତାରେ ୫ଶହ ମିଟର ପର୍ଯ୍ୟନ୍ତ କାର କୁ ଘୋଷାଡ଼ି ନେଲା ଟ୍ରକ୍। ତେବେ ଅଳ୍ପକେ ବର୍ତ୍ତିଛନ୍ତି କାରରେ ଥିବା ଦାଦା ଓ ଝିଆରୀ। ଦୁର୍ଘଟଣା ପରେ କାରକୁ ଘୋଷାରି ନେବା ସତ୍ତ୍ୱେ ଅଟକି ନଥିଲା ଟ୍ରକ । ଲୋକେ ପାଟି କରିବାରୁ ବ୍ରିଜ୍ ବାଡ଼ରେ ଲାଗି ଅଟକି ଯାଇଥିଲା କାର ଏବଂ ଏହି ସମୟରେ ଟ୍ରକ ଟି ଖସି ଯାଇଥିଲା । ଘଟଣାସ୍ଥଳରେ ମଞ୍ଚେଶ୍ଵର ଥାନା ପୋଲିସ ପହଞ୍ଚିଥିଲା। ଏହାପରେ ଟ୍ରକକୁ ଗୋଡ଼ାଇ ଧରିଥିଲା ମଞ୍ଚେଶ୍ଵର ଥାନା ପୋଲିସ। ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଚାଲିଛି।
ଶେଷ ସୂଚନା ଅନୁସାରେ, ଚନ୍ଦ୍ରଶେଖରପୁର ଦୁର୍ଘଟଣା ହତ୍ୟା ର ରୂପ ନେଇଛି । ପ୍ରଥମେ ଥାର ଚଢାଇ ଯୁବକଙ୍କୁ ଗୁରୁତର କରିବା ପରେ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି ଦୁର୍ବୁତ୍ତ । ଏହି ଘଟଣାରେ ୬ଜଣଙ୍କ ସମ୍ପୃକ୍ତ ରହିଛନ୍ତି ବୋଲି ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି । ମୃତ ଯୁବକ ଜଣକ +୩ ରେ ପଢୁଥିଲେ । ତାଙ୍କ ଘର ଖୋର୍ଦ୍ଧା କାଇପଦର ଅଞ୍ଚଳର । ଲସି ଦୋକାନରେ ଗଣ୍ଡଗୋଳ ପରେ ହତ୍ୟା କାଣ୍ଡ ଘଟିଥିବା ସୂଚନା ।ଏହି ଘଟଣାରେ ଚନ୍ଦ୍ରଶେଖରପୁର ପୋଲିସ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ।
ଅନ୍ୟପଟେ,କଟକ ରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । କଟକ ଯୋବ୍ରା ଅଞ୍ଚଳରେ ଜୟ କପୀସ ନାମ ଏକ ଘରୋଇ ବସ୍ ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା । ମୃତ ଯୁବତୀ ହେଲେ ସ୍ବାଗତିକା ମହାନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯୁବତୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଛି। ଉଭୟ ସ୍କୁଟି ଓ ବସ୍ ଜବତ କରି ପୁଲିସର ତଦନ୍ତ ଆରମ୍ଭ କରିଛି ।




