ଆଜି ୨ ଦିନିଆ ଓଡିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି
୨୦ ତାରିଖ ଜନ୍ମ ମାଟିରେ ପାଳିବେ ଜନ୍ମଦିନ
ବାରିପଦା : ଆଜି ୨ ଦିନିଆ ମୟୁରଭଞ୍ଜ ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରାହ୍ନ ୩.୪୫ ମିନିଟରେ ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ଅବତରଣ କରିବେ । ଏହାପରେ ରାଇରଙ୍ଗପୁର ସ୍ଥିତ ବାସଭବନକୁ ଯାଇ ବିଶ୍ରାମ ନେବେ। ପରେ ସନ୍ଧ୍ୟା ୬ଟାରେ ରାଇରଙ୍ଗପୁର ଡାକ୍ତରଖାନାରେ ଏମ୍ସ ପକ୍ଷରୁ ଆୟୋଜିତ ସ୍ବାସ୍ଥ୍ୟ କ୍ୟାମ୍ପକୁ ଯାଇ ଲୋକଙ୍କ ସହ ଭାବବିନିମୟ କରିବେ । ଆସନ୍ତା କାଲି ସକାଳ ୧୦ଟାରେ ନିଜ ଶ୍ବଶୂର ଘର ଗାଁ ପାହାଡ଼ପୁର ଯିବା କାର୍ଯ୍ୟକ୍ରମ ରହିଛି।
୨୦ ତାରିଖ ଶନିବାର ଦିନ ରାଷ୍ଟ୍ରପତି ତାଙ୍କ ଶାଶୂଘର ଗାଁ ପାହାଡ଼ପୁରରେ ନିଜ ଜନ୍ମଦିନ ପାଳନ କରିବେ । ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ରକ୍ଷା କରି ୨୦ତାରିଖ ରାଷ୍ଟ୍ରପତିଙ୍କ ଜନ୍ମ ଦିନରେ ଯୋଗ ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜ ମାଟିରେ ପାଦ ଦେବେ । ଦିନ ୧୦ଟା ୩୦ରେ ରାଷ୍ଟ୍ରପତି ଓ ୧୧ଟା ୦୫ରେ ପ୍ରଧାନମନ୍ତ୍ରୀ ମୋଦି ପାହାଡପୁରରେ ପହଞ୍ଚିବେ । ସେଠାରୁ ବିଭିନ୍ନ କାର୍ଯକ୍ରମ ସାରି ୧୨ଟା ୩୦ରେ ହେଲିକପ୍ଟର ଯୋଗେ ବାହାରି ଦାଣ୍ଡବୋଷଠାରେ ଆୟୋଜିତ ଏକ ବିଶାଳ ଜନସାଧାରଣ ସଭାରେ ଉଦ୍ବୋଧନ ଦେବେ । ଏଥିସହ ରାଜ୍ୟର ବିକାଶ ପାଇଁ ୬୦ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ୪୦ଟି ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ।
ଓଡ଼ିଶାରେ ନୂତନ ବିଜେପି ସରକାରର ୨ ବର୍ଷ ପୂର୍ତ୍ତି ସମାରୋହରେ ଉଭୟ ଯୋଗଦେବାକୁ ଥିବାବେଳେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀମଣ୍ଡଳ ସାମିଲ ହେଉଥିବାରୁ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ବର୍ତ୍ତମାନ ପ୍ରଶାସନିକ ତତ୍ପରତା ସହିତ ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇପଡ଼ିଛି । ଏହି ବିରାଟ ରାଜନୈତିକ କାର୍ଯ୍ୟକ୍ରମ ଲାଗି ପାହଡପୁରଠାରୁ ନେଇ ରାଇରଙ୍ଗପୁର ପର୍ଯ୍ୟନ୍ତ ପ୍ରସ୍ତୁତି ଜୋରଦାର ଚାଲିଛି । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ଲଗି ବାରିପଦା ଠାରୁ ସମଗ୍ର ପାହାଡପୁର ଯାଏଁ ସଜେଇ ହୋଇଛି । ଏଥିଲାଗି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।




