ରାଉରକେଲା ଗସ୍ତରେ ମହାମହିମ ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସମଗ୍ର ଜିଲ୍ଳାରେ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା

ରାଉରକେଲା ଗସ୍ତରେ ମହାମହିମ ରାଷ୍ଟ୍ରପତି
Samaya Live News Picture
Published On

ଭୁବନେଶ୍ୱର : ଆଜିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ଦିନିକିଆ ରାଉରକେଲା ଗସ୍ତରେ ଆସିବେ ରାଷ୍ଟ୍ରପତି । ସକାଳ ୮ଟାରେ ରାଷ୍ଟ୍ରପତି ଭବନରୁ ବାହାରି ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବେ। ସେଠାରୁ ବିମାନରେ ଆସି ୧୦ଟା ୨୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ବାୟୁସେନାର ହେଲିକପ୍ଟରରେ ରାଉରକେଲା ବିମାନ ବନ୍ଦରରେ ୧୧ଟା ୧୦ରେ ପହଞ୍ଚିବେ। ବିମାନ ବନ୍ଦରରୁ ସିଧାସଳଖ ସେକ୍ଟର-୧୩ ପଡ଼ିଆରେ ଆୟୋଜିତ ସମାବେଶ ସ୍ଥଳକୁ ଯିବେ। ସାଢ଼େ ୧୧ଟା ସୁଦ୍ଧା ସେଠାରେ ପହଞ୍ଚି ଜନସାଧାରଣଙ୍କୁ ଉଦବୋଧନ ଦେବେ । ସକାଳ ୧୧ଟା ୪୦ରୁ ମଧ୍ୟାହ୍ନ ୧୨ଟା ୪୦ ପର୍ଯ୍ୟନ୍ତ ସଭା ସ୍ଥଳରେ ଉପସ୍ଥିତ ରହିବେ। ଆଇସିସିସି ବିଲଡିଂ, ସାଇନ୍ସ ପାର୍କ ଆଣ୍ଡ ପ୍ଲାନେଟାରିୟମ୍ ଉଦ୍ ଘାଟନ କରିବେ ।

ଏହା ପରଦିନ ରାଷ୍ଟ୍ରପତି ରାଇରଙ୍ଗପୁରରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ରହିଛି  । ଏହି ଅବସରରେ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବା ଲାଗି ଆଜି ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ପହଞ୍ଚିଛନ୍ତି। 

ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି ପୁରା ପୁଲିସ୍ ଛାଉଣୀରେ ଇସ୍ପାତ ସହର । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶାର ରାଉରକେଲା ଗସ୍ତ କରି ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ । ରାଉରକେଲା ୱାନ୍’ ପ୍ରକଳ୍ପ ଅଧୀନରେ ଏକ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର, ଏକ ଜନଜାତି ସଂଗ୍ରହାଳୟ ଏବଂ ଏକ ପ୍ରେକ୍ଷାଳୟର ଉଦଘାଟନ କରିବେ । କୋଏଲ ନଗରରେ ଏକ ବିଶାଳ ପାର୍କ ଏବଂ ଛେଣ୍ଡ କଲୋନୀରେ ଏକ ପ୍ଲାନେଟାରିୟମର ମଧ୍ୟ ଶୁଭାରମ୍ଭ କରିବେ ।

ଏହାପରେ ରାଷ୍ଟ୍ରପତି ପାନପୋଷ ସର୍କିଟ୍ ହାଉସରେ ବିଭିନ୍ନ ସଂଗଠନର ପ୍ରତିନିଧିମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଡ଼ା କଟକଣା ଜାରି କରାଯାଇଛି । ବିମାନବନ୍ଦର ଓ ସର୍କିଟ୍ ହାଉସ୍‌ , ଟ୍ରାଇବାଲ୍ ମ୍ୟୁଜିୟମ୍ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ କରାଯାଇଛି । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ସହରରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଅବସରରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ, ଯେଉଁଥିରେ ସୁନ୍ଦରଗଡ଼ ଜିଲ୍ଲାର ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ସାମିଲ ହେବାର ଆଶା କରାଯାଉଛି । ସେହିପରି ଓଡ଼ିଶା ପୁଲିସର ପ୍ରସ୍ତାବିତ ରାଇରଙ୍ଗପୁର ପୋଲିସ ଜିଲ୍ଲାକୁ ରାଷ୍ଟ୍ରପତି ଶୁଭାରମ୍ଭ କରିବା ସହିତ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିବେ । ରାଷ୍ଟ୍ରପତୀ ଦ୍ରୈାପଦୀ ମୁର୍ମୁଙ୍କ ଏହା ପ୍ରଥମ ରାଉରକେଲା ଗସ୍ତ ଯୋଗୁ ସବୁଠି ଉତ୍ସାହ ଦେଖିବାକୁ ମିଳିଛି ।

 

Tags: