ବାଣିଜ୍ୟିକ ଜାହାଜ 'MT UNITY' କୁ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦେଶ

ବାଣିଜ୍ୟିକ ଜାହାଜ 'MT UNITY' କୁ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦେଶ
Samaya Live News Picture
Published On

ପାରାଦୀପ : ଆରେଷ୍ଟ ହେବ ପାରାଦୀପ ବନ୍ଦରରେ ଲାଗିଥିବା 'MT UNITY' ଜାହାଜ । ଏନେଇ ନିର୍ଦ୍ଦେଶ ଦଇଛନ୍ତି ଓଡିଶା ହାଇକୋର୍ଟ । ବ୍ୟାବସାୟିକ ବିବା‌ଦକୁ ନେଇ ଇଣ୍ଟରଓସିନ ସିପିଙ୍ଗ୍‌ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ ପକ୍ଷରୁ ଦାୟର ସାମୁଦ୍ରିକ ବିବାଦ ସଂପର୍କିତ ଆବେଦନର ଶୁଣାଣି କରି ପାରାଦୀପ ବନ୍ଦରରେ ଥିବା ବାଣିଜ୍ୟିକ ଜାହାଜ  ‘MT UNITY’ (IMO: 9388792) କୁ ଗିରଫ ପାଇଁ  ନିର୍ଦ୍ଦେଶ ଜାରି କରିଛନ୍ତି ।

ସାମୁଦ୍ରିକ ବିବାଦ ମାମଲାରେ ପ୍ରତିପକ୍ଷ ଏମଟି ୟୁନିଟି (ଆଇଏମଓ ୯୩୮୮୭୯୨) ଓ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ବିଚାରାଧୀନ ଏହି ମାମଲାର ଚୂଡାନ୍ତ ରାୟ ପ୍ରକାଶ ପର୍ଯ୍ୟନ୍ତ ଜାହାଜ ଏମ୍‌ଟି ୟୁନିଟି (ଆଇଏମଓ ୯୩୮୮୭୯୨) ସଂପର୍କିତ ଦେୟ ବାବଦ ଅର୍ଥକୁ ଆବେଦନକାରୀ ସଂସ୍ଥାର ଜମା ରାଶିରୁ ନ କାଟିବାକୁ ପାରାଦୀପ ବନ୍ଦର ଟ୍ରଷ୍ଟକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ସଂସ୍ଥାର ମୂଳ ଆବେଦନ ଓ ମଧ୍ୟବର୍ତ୍ତିକାଳୀନ ଦୁଇ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର ୧୨କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି ।

ସୂଚନାନୁସାରେ, ଇଣ୍ଟରଓସିନ ସିପିଙ୍ଗ୍ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଦାୟର ସାମୁଦ୍ରିକ ବିବାଦ ମାମଲାରେ ଜାହାଜ ବିରୋଧରେ ୪୨ ଲକ୍ଷ ୮୩ ହଜାର ୨୭୧ ଟଙ୍କା ଦାବି କରାଯାଇଛି । ଆବେଦନକାରୀ ସଂସ୍ଥାର ଅଭିଯୋଗ ଥିଲା ଯେ, ଜାହାଜଟି ଖୁବ୍ ଶୀଘ୍ର ପାରାଦୀପ ବନ୍ଦର ଛାଡ଼ି ଚାଲିଯାଇପାରେ। ଯଦି ଏହା ବନ୍ଦର ଛାଡ଼ିଦିଏ, ତେବେ ମାମଲାର ପ୍ରଭାବ ନଷ୍ଟ ହୋଇଯିବ।

ଜଷ୍ଟିସ ଭି. ନରସିଂହଙ୍କ ଖଣ୍ଡପୀଠ ମୂଳ ଆବେଦନ ସହ ମଧ୍ୟବର୍ତ୍ତୀକାଳୀନ ଦୁଇଟି ଆବେଦନର ଶୁଣାଣି କରି ଜାହାଜକୁ ପାରାଦୀପ ବନ୍ଦରରେ ଆରେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

 

Tags: