ରାଜଧାନୀରେ ବର୍ଷାର ତାଣ୍ଡବ, ଗଛ ପଡି ଚାପି ହୋଇଗଲା ୧୦ରୁ ଅଧିକ ଗାଡି

ରାଜଧାନୀରେ ବର୍ଷାର ତାଣ୍ଡବ, ଗଛ ପଡି ଚାପି ହୋଇଗଲା ୧୦ରୁ ଅଧିକ ଗାଡି
Samaya Live News Picture
Published On

ଭୁବନେଶ୍ୱର : ତାତି ରୁ ଆଶ୍ବସ୍ତି । ଶନିବାର ଅପରାହ୍ନରେ ହଠାତ ଭୁବନେଶ୍ୱର ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ । ଦେଖୁ ଦେଖୁ କୁଆପଥର ମାଡ଼ ସହ ଆରମ୍ଭ ହୋଇଗଲା ଭୀଷଣ ବର୍ଷା । ଏହା ସାଙ୍ଗକୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ସହ ବିଜୁଳି ଘଡ଼ଘଡ଼ି ମାରି ପ୍ରାୟ ଘଣ୍ଟାଏ ଧରି ରଚିଲା ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ରାଜଧାନୀରେ କିଛି ସ୍ଥାନରେ ଟ୍ରାଫିକ ସମସ୍ୟା ଉପୁଜି ଗମନାଗମନ ବ୍ୟାହତ ହୋଇଥିଲା । ଜୟଦେବ ବିହାରରେ ଗଛ ପଡି ୧୦ରୁ ଅଧିକ ଗାଡି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସେହିପରି ବିଭିନ୍ନ ସ୍ଥାନରେ ଲାଗିଥିବା ବଡ଼ ବଡ଼ ହୋର୍ଡ଼ିଂ ସବୁ ଭାଙ୍ଗି ଯାଇ ତଳେ ପଡିଛି । 
ଅନ୍ୟପଟେ , କେଇ ମିନିଟ ର କାଳ ବୈଶାଖୀବର୍ଷା ରେ ଛାରଖାର ହୋଇଯାଇଛି ଜନତା ମୈଦାନ । ଆନ୍ତର୍ଜାତୀୟ ଟ୍ରେଡ଼ ଫେୟାର ପାଇଁ ନିର୍ମିତ ଟେଣ୍ଟ ଭୁଶୁଡି ପଡିଛି । ବର୍ଷା ପବନ ମାଡ଼ରେ ପ୍ରାୟ ୨୫୦ଟି ଷ୍ଟଲ ମାଟିରେ ମିଶି ଯାଇଥିବା ଜଣାପଡିଛି । ଫଳରେ ଆନ୍ତର୍ଜାତୀୟ ସ୍ତରରୁ ଆସିଥିବା ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଲକ୍ଷାଧିକ ଟଙ୍କାର ସାମଗ୍ରୀ ବର୍ଷା ପବନ ମାଡ଼ରେ ନଷ୍ଟ ହୋଇଯାଇଛି। ଗଛକାଟି ରାସ୍ତା ସଫା କାମରେ ଅଗ୍ନିଶମ ବିଭାଗର ୧୫ଟି ଟିମ ସାମିଲ ଅଛନ୍ତି । ତେବେ କିଛି ସମୟ ପରେ ପ୍ରକୃତି ସାମାନ୍ୟ ହୋଇଥିବାବେଳେ ବର୍ତ୍ତମାନ ଯାଏଁ ଝିପି ଝିପି ବର୍ଷା ଲାଗି ରହିଛି । ଭୁବନେଶ୍ୱର ବ୍ୟତୀତ ଜିଲ୍ଲାର ଅଧିକାଂଶ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାଯାଇଛି । ଆଜି କାଳ ବୈଶାଖୀ ନେଇ ୧୧ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Tags: