ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ,ଖୋଲିଲା ଇନ୍ଦ୍ରାବତୀ ଡ୍ୟାମର ୫ଟି ଗେଟ୍

ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ,ଖୋଲିଲା ଇନ୍ଦ୍ରାବତୀ ଡ୍ୟାମର ୫ଟି ଗେଟ୍
Samaya Live News Picture
Published On

ଭୁବନେଶ୍ୱର: ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଉପରମୁହାଁ ଥିବା ବେଳେ ଦକ୍ଷିଣ ଓଡ଼ିଶାର ସମସ୍ତ ନଦୀର ଜଳସ୍ତର ବଢୁଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ସମସ୍ତ ନଦୀଗୁଡ଼ିକରେ ଜଳ ପ୍ରବାହ ବଢ଼ିଥିବାରୁ ସ୍ଥିତି ଉପରେ ନଜର ରଖାଯାଇଛି। ଏହି ସମୟରେ ଇନ୍ଦ୍ରାବତୀ ଡ୍ୟାମର ୫ଟି ଗେଟ୍ ଖୋଲାଯାଇଛି । ଡ୍ୟାମର ଜଳସ୍ତର ଓ ନଦୀରେ ଜଳ ପ୍ରବାହକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷେ ଉତ୍ତର ଓଡ଼ିଶାର ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ହେବାର ଆଶଙ୍କା ନ ଥିବା ବେଳେ ବୁଢାବଳଙ୍ଗ ନଦୀର ବନ୍ୟା ଜଳ କେବଳ ସତର୍କ ସୂଚନା ଛୁଇଁବ ହେଲେ ବ୍ରାହ୍ମଣୀ ଏବଂ ମହାନଦୀରେ ବନ୍ୟା ହେବାର କୌଣସି ଆଶଙ୍କା ନାହିଁ ବୋଲି ଯନ୍ତ୍ରୀ କହିଛନ୍ତି।

ସେହିପରି ବ୍ରାହ୍ମଣୀ ଓ ମହାନଦୀକୁ ନେଇ ମଧ୍ୟ ବଡ଼ ବନ୍ୟାର ଆଶଙ୍କା ନଥିବା କୁହାଯାଇଛି। ଏହି ଦୁଇ ପ୍ରମୁଖ ନଦୀର ଜଳସ୍ତର ଉପରେ ମଧ୍ୟ ବିଭାଗର ନଜର ରହିଛି ।

ଲଗାଣ ବର୍ଷା ଜାରି ରହିଥିବାରୁ ଆଗାମୀ ସମୟରେ ନଦୀଗୁଡ଼ିକର ଜଳସ୍ତର କିଭଳି ରହୁଛି, ତାହା ଉପରେ ନଜର ରଖିଛି ଜଳ ସମ୍ପଦ ବିଭାଗ । ବର୍ଷାର ପରିମାଣ ଓ ନଦୀର ଜଳ ପ୍ରବାହ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ସେପଟେ, ବର୍ଷାକୁ ଦୃଷ୍ଟିରେ ରଖି ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ ସ୍ଥିତିକୁ ଦୃଷ୍ଟିରେ ରଖି ୬ ଜିଲାରେ ଆଉ ଗୋଟିଏ ଦିନ ଛୁଟି ବୃଦ୍ଧି କରାଯାଇଛି । ଶୁକ୍ରବାର ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ରାୟଗଡା ଜିଲାରେ ସ୍କୁଲ ବନ୍ଦ ରହିବ ବୋଲି ସମ୍ପୃକ୍ତ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

 

Tags: