ଜଳୁଛି ପଶ୍ଚିମ ଓଡିଶା , ଆଜି ପାଇଁ ୬ଜିଲ୍ଲା କୁ ହିଟୱେଭ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହୋଇପଡ଼ିଛି । ଆଜି ମଧ୍ୟ ୬ଟି ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି । ହିଟ୍ ୱେଭ୍ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା, କେନ୍ଦୁଝର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗିର । ସେହିପରି ୧୭ଟି ଜିଲ୍ଲାକୁ ଗୁଳୁଗୁଳି ପାଇଁ ୟେଲୋ ସତର୍କ ସୂଚନା ଦିଆଯାଇଛି । ଆଗାମୀ ୨୬ ତାରିଖଠାରୁ ରାଜ୍ୟରେ କାଳବୈଶାଖୀ ଝଡ଼ର ପ୍ରଭାବ ଦେଖିବାକୁ ମିଳିପାରେ ।
ସେପଟେ, ପଶ୍ଚିମ ଓଡ଼ିଶାର ସ୍ଥିତି କହିଲେ ନସରେ I ଆକାଶରୁ ହେଉଛି ଅଗ୍ନିବର୍ଷା । ଗତକାଲି ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ଜିଲ୍ଲାରେ ପରିଣତ ହୋଇଥିଲା । ଝାରୁସୁଗୁଡ଼ା ଓ ତାଳଚେର ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । ସେହିପରି ଗୁରୁବାର ଅପରାହ୍ନ ୨ଟା ୩୦ସୁଦ୍ଧା ସମ୍ବଲପୁର ସହରର ତାପମାତ୍ରା ୪୨. ୬ଡିଗ୍ରୀ ରହିଥିବା ବେଳେ ହୀରାକୁଦର ତାପମାତ୍ରା ୪୩ଡିଗ୍ରୀ ରହିଥିଲା । ରାଉରକେଲାର ତାପମାତ୍ରା ୪୨ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀରର ଏବଂ ଭୁବନେଶ୍ୱରର ତାପମାତ୍ରା ମଧ୍ୟ ୪୨ଡିଗ୍ରୀ ରହିଥିଲା ।
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଏପ୍ରିଲ ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ । ତେବେ, ପୂର୍ବ ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା କାର୍ଯ୍ୟ ଓ ଅନ୍ୟାନ୍ୟ ଅଫିସ କାମ ପୂର୍ବପରି ଜାରି ରହିବ।



