୧୩ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ, ଝାରସୁଗୁଡ଼ାରେ ଅଗ୍ନିବର୍ଷା

୧୩ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ, ଝାରସୁଗୁଡ଼ାରେ ଅଗ୍ନିବର୍ଷା
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବଢିଚାଲିଛି । ତତଲା କରେଇରେ ଭାଜି ହେଉଛି ପଶ୍ଚିମ ଓଡିଶା । ଝାରସୁଗୁଡ଼ାରେ ଅଗ୍ନିବର୍ଷା ହେବା ସହ ଜାରି ରହିଛି ଝାଞ୍ଜି ପବନ ମାଡ଼। ପୂର୍ବରେ ବି ଦିନ ୧୧ଟାରେ ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଟାଣ ଖରାରେ ଶରୀର ଜଳିଗଲା ଭଳି ଲାଗୁଥିବାବେଳେ ଗୁଳୁଗୁଳି କଲବଲ କରୁଛି । ମଧ୍ୟାହ୍ନ ୧୨ଟା ପରେ ରାସ୍ତାଘାଟ ଯେପରି ଖାଁ ଖାଁ ହେଉଛି ।

ଉପକୂଳରେ ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। କେତେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇଥିବାବେଳେ ଆଉ କିଛି ଅଞ୍ଚଳରେ ପାରଦ ଉପରମୁହାଁ ହୋଇଛି। ଶୁକ୍ରବାର ଝାରସୁଗୁଡ଼ାରେ ୪୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ଏହା ପରେ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ। ଅସହ୍ୟ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଥିବା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଆଜି ପାଇଁ ୧୩ ଜିଲ୍ଲାକୁ ହିଟୱେଭ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାକୁ ସତର୍କ ରହିବାକୁ ଆଲର୍ଟ କରାଯାଇଛି । ଏହି ଜିଲ୍ଲାରେ ଆଜି ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ହେବ ଅନୁଭୂତ ହୋଇପାରେ । ଖରାବେଳେ ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
 

Tags: