ସେପ୍ଟେମ୍ବର ୧୭ରେ ମହାନଦୀ ଜଳ ବିବାଦ ପରବର୍ତ୍ତୀ ଶୁଣାଣି

ସେପ୍ଟେମ୍ବର ୧୭ରେ ମହାନଦୀ ଜଳ ବିବାଦ ପରବର୍ତ୍ତୀ ଶୁଣାଣି
Samaya Live News Picture
Published On

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ଅନୁଷ୍ଠିତ ହେବ। ଦୀର୍ଘ ଦିନର ଏହି ବିବାଦ ଆସନ୍ତା ଦୀପାବଳି ପୂର୍ବରୁ ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି । ଓଡ଼ିଶା ଓ ଛତିଶଗଡ଼-ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସକରାତ୍ମକ ଆଭିମୁଖ୍ୟ ଯୋଗୁଁ ଆଜି ଏହି ମାମଲା ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିପାରିଛି ବୋଲି ଆଡଭୋକେଟ୍ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା, ଯେଉଁଥିରେ ଟ୍ରିବ୍ୟୁନାଲ୍ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସକ୍ରିୟ ପ୍ରୟାସ ପାଇଁ ଦୃଢ଼ ପ୍ରଶଂସା କରିଥିଲେ।

ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶକ୍ରମେ ସେଣ୍ଟ୍ରାଲ ୱାଟର କମିଶନ (CWC) ପକ୍ଷରୁ ଗଠିତ ଉଚ୍ଚସ୍ତରୀୟ ବୈଷୟିକ କମିଟିର ବୈଠକ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇସାରିଛି । ଏହି କମିଟିରେ ଦୁଇ ରାଜ୍ୟର ବରିଷ୍ଠ ଇଞ୍ଜିନିୟର ଏବଂ CWCର ସଦସ୍ୟମାନେ ସାମିଲ ଅଛନ୍ତି । ସେମାନେ ଜଳ ବଣ୍ଟନର ବିଭିନ୍ନ ବୈଷୟିକ ଦିଗକୁ ଅନୁଧ୍ୟାନ କରି ସମାଧାନର ସୂତ୍ର ବାହାର କରିବେ। ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଏହି ବହୁଚର୍ଚ୍ଚିତ ଜଳ ବିବାଦର ସ୍ଥାୟୀ ସମାଧାନ କରାଯିବ ବୋଲି ଶ୍ରୀ ଆଚାର୍ଯ୍ୟ ଆଶାପ୍ରକାଶ କରିଛନ୍ତି। 

ଜୁଲାଇ ୩୦ ତାରିଖରେ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଓଡିଶା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ସେହି ବୈଠକ ପରେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶା ପ୍ରକାଶ କରିଥିଲେ ଯେ ତିନି ମାସ ମଧ୍ୟରେ କିମ୍ବା ଦୀପାବଳି ପୂର୍ବରୁ ଏକ ସମାଧାନ ହୋଇପାରିବ।

Tags: