ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଓଡିଶା ଡିଜିପି ଚୟନ ଶୁଣାଣି
୨୨ ତାରିଖରେ ପରବର୍ତ୍ତୀ ଶୁଣାଣି
ଭୁବନେଶ୍ୱର : ରାଜ୍ୟ ପୁଲିସ ମହାନିର୍ଦେଶକ (ଡିଜିପି) ଚୟନକୁ ନେଇ ଦ୍ୱନ୍ଦ୍ୱ । ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଡିଜିପି ଚୟନ ମାମଲା । ଆସନ୍ତା ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ତାରିଖ ଧାର୍ଯ୍ୟ ହୋଇଛି । ଡିଜିପି ଚୟନ ପ୍ରକ୍ରିୟାରେ ଏମ୍ପାନେଲମେଣ୍ଟ ଓ ଯୋଗ୍ୟ ତାଲିକାକୁ ନେଇ ଆମିକସ କ୍ୟୁରି ରାଜୁ ରାମଚନ୍ଦ୍ରନଙ୍କ ରିପୋର୍ଟରେ ଉଠାଯାଇଥିବା ପ୍ରଶ୍ନ ଉପରେ ଆଜି ଆଲୋଚନା ହୋଇଛି । ଆଜିର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଏବଂ ଡିଜି ଚୟନ ସମ୍ପୂର୍ଣ୍ଣ ଆଇନ ସମ୍ପନ୍ନ । ଏଥିରେ କୌଣସି ବ୍ୟତିକ୍ରମ ହୋଇ ନାହିଁ ବୋଲି କହିଛନ୍ତି ଆଡଭୋକେଟ୍ ଜେନେରାଲ ।
ବିଶେଷକରି ବରିଷ୍ଠ IPS ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ ଯୋଗ୍ୟ ତାଲିକାରୁ ବାଦ ଦିଆଯିବା, ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ସମ୍ପର୍କିତ ପ୍ରଶ୍ନ ଏବଂ ଦୁଇଜଣ ଅତିରିକ୍ତ ଡିଜିପିଙ୍କ ପଦୋନ୍ନତି ପରେ ସେମାନଙ୍କୁ ଡିଜିପି ଚୟନ ପ୍ରକ୍ରିୟାରେ ଆଣିବା ପ୍ରସଙ୍ଗ ଉପରେ କୋର୍ଟ ଶୁଣାଣି କରିଥିଲେ।
ଡିଜିପି ଭାବେ କିଏ ନିଯୁକ୍ତି ପାଇବେ ତାହା ସରକାରଙ୍କ ଶେଷ ନିଷ୍ପତ୍ତି। ଏଥିରେ କୌଣସି ଅଫିସରଙ୍କ ଅଧିକାର ଦାବି କରିବା ଅବାଞ୍ଚନୀୟ । କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଏ ମାମଲାକୁ ରାଜନୈତିକ ଉଦ୍ଧେଶ୍ୟ ରଖି ମାଲାଲା ସୂତ୍ରପାତ୍ କରିଛନ୍ତି ବୋଲି କହିଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। ଏଥିରେ ଅଫିସର୍ ଙ୍କ ନାମ ସୁପାରିଶ ବାବଦରେ ସୁପ୍ରିମକୋର୍ଟ କୌଣସି ନିର୍ଦ୍ଧିଷ୍ଟ ଆଧାର ନିରୂପଣ କରି ନାହାନ୍ତି। ରାଜ୍ୟ ସରକାର ସମସ୍ତ ଅଯୋଗ୍ୟ ଅଧିକାରୀ ନାମ ୟୁପିଏସସିଙ୍କୁ ସୁପାରିଶ କରିଥିଲେ । ଡିଜିପି ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇ ନାହିଁ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ଏଜି ।
ସୂଚନାନୁସାରେ, ୨୦୦୬ରେ ଆସିଥିବା ପ୍ରକାଶ ସିଂହ ଜଜମେଣ୍ଟ ଅନୁଯାୟୀ ଡିଜିପି ଚୟନ ପ୍ରକ୍ରିୟାରେ ସର୍ବୋଚ୍ଚ ବରିଷ୍ଠ ଅଧିକାରୀଙ୍କୁ ନେଇ UPSC ପ୍ୟାନେଲ୍ ପ୍ରସ୍ତୁତ କରିବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରିବା। ତେବେ ଡିଜିପି ନିଯୁକ୍ତି ତାଲି ତାଲିକା ପ୍ରସ୍ତୁତିରେ ନିୟମର ଉଲ୍ଲଂଘନ ହୋଇଥିବା ନେଇ ଆବେଦନ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟରେ ନୂତନ ଡିଜିପି ନିଯୁକ୍ତି ହେବେ। ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି।




