ଇସ୍ତଫା ଦିଅନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ - ନବୀନ
ଭୁବନେଶ୍ୱର : ଏସସିବି ଅଗ୍ନିକାଣ୍ଡ ,ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସରକାରଙ୍କ ଅପାରଗତାରୁ ନିଆଁ ଲାଗିଥିବା କହିଛନ୍ତି ନବୀନ । ବିଧାନସଭାରେ ବିବୃତି ରଖି କହିଛନ୍ତି ପ୍ରାଶାସନିକ ଅବହେଳା ଯୋଗୁ ଏତେବଡ଼ ଅଘଟଣ ଘଟିଛି । ନୈତିକତା ଦୃଷ୍ଟିରୁ ସ୍ବାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ । ଆମ ସରକାରରେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣାରେ ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ତେଣୁ ଆଜିର ଏହି ଘଟଣା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ।
ସେହିପରି ମୃତକଙ୍କ ପାଇଁ ଘୋଷଣା ହୋଇଥିବା ୨୫ ଲକ୍ଷ ସହାୟତା ରାଶି ଯଥେଷ୍ଟ ନୁହେଁ । ସରକାର ୫୦ ଲକ୍ଷ ଟଙ୍କା ସହାୟତା ରାଶି ଦିଅନ୍ତୁ । ଏପଟେ ସମାନ ପ୍ରସଙ୍ଗକୁ ନେଇ ଚାଲିପାରୁନି ବିଧାନସଭା ଗୃହକାର୍ଯ୍ୟ । ବିରୋଧୀ ମଧ୍ୟ ଗୃହରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଅଡି ବସିଛନ୍ତି । ପ୍ରଶ୍ନ କାଳରୁ ଗୃହ ଅଚଳ କରିଛନ୍ତି ବିରୋଧୀ । ଫଳରେ ବାଚସ୍ପତି ସୁରମା ପାଢୀ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଛନ୍ତି । ପ୍ରଥମେ ୧୨ ଟା ଯାଏଁ ମୁଲତବୀ କରିଥିଲେ ପରେ ୪ଟା ଯାଏଁ ମୁଲତବୀ କରିଛନ୍ତି ।



