ଆୟୁର୍ବେଦିକ ହସ୍ପିଟାଲର ନବ କଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର : ଭୁବନେଶ୍ୱରର ଆୟୁର୍ବେଦିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଆୟୁର୍ବେଦିକ ହସ୍ପିଟାଲ ର ହେବ ନବ କଳେବର । ଆଧୁନିକ ଚିକିତ୍ସା ସହ ଆୟୁର୍ବେଦର ଚିକିତ୍ସା ମଧ୍ୟ ସରକାରୀ ଭାବେ ମିଳିବ । ଆଜି ଭୁବନେଶ୍ୱର ନାଗେଶ୍ୱର ଟାଙ୍ଗିରେ ଭୁବନେଶ୍ୱର କୋର୍ଟ ନିକଟରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ। ଏହି ହସ୍ପିଟାଲ୍ ର ଶଯ୍ୟା ସଂଖ୍ୟା ବଢ଼ାଇବାକୁ ବିଭାଗ ନିଷ୍ପତ୍ତି ନେଇଛି । ଇନ୍ଡୋର୍ରେ ଥିବା ୪୩ଟି ଶଯ୍ୟା ସଂଖ୍ୟାକୁ ବଢ଼ାଇ ୧୦୦ ଶଯ୍ୟା କରାଯିବ ।
ରୋଗୀ ସଂଖ୍ୟା ଦିକୁ ଦିନ ବଢ଼ୁଥିବା ବେଳେ ଅଧିକ ଶଯ୍ୟା ଆବଶ୍ୟକ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହାଦ୍ଵାରା ଭୁବନେଶ୍ୱରବାସୀଙ୍କୁ ଶସ୍ତା ଏବଂ ଗୁଣାତ୍ମକ ଆୟୁଷ ଚିକିତ୍ସା ମିଳିବ। ସବୁଠୁ ବଡ଼ କଥା ହେଲା, ଆୟୁଷ୍ମାନ କାର୍ଡରେ ବି ଏହି ଚିକିତ୍ସା ଅନ୍ତର୍ଭୁକ୍ତ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନାନୁସାରେ, ବର୍ତ୍ତମାନ ଏହି ହସ୍ପିଟାଲରେ ମାତ୍ର ୪୩ଟି ଇନପେସେଣ୍ଟ ବେଡ୍ ରହିଥିବା ବେଳେ ଆୟୁର୍ବେଦିକ ଚିକିତ୍ସାର ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଏହାକୁ ୧୦୦ ଶଯ୍ୟାକୁ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଏହି ନୂତନ କୋଠାର ନିର୍ମାଣ ଦାୟିତ୍ୱ ସାମଲ ଇଞ୍ଜିନିୟରିଂ ଆଣ୍ଡ କନସଲଟାଣ୍ଟକୁ ଦିଆଯାଇଛି ଏବଂ ଆସନ୍ତା ୧୫ ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି।




