ଆନ୍ଦୋଳନ ରତ ଡାକ୍ତରଙ୍କ ଦରମା ବନ୍ଦ ନିର୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର : ଆଜି ତୃତୀୟ ଦିନରେ ପହଁଚିଛି । ୧୦ ଦଫା ଦାବି ନେଇ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି । ବିପର୍ଯ୍ୟସ୍ତ ହୋଇପଡିଛି ରୋଗୀସେବା । ଆବଶ୍ୟକୀୟ ଚିକିତ୍ସା ନପାଇ ହନ୍ତସନ୍ତ ହେଉଛନ୍ତି ରୋଗୀ । ରାଜ୍ୟ ସରକାରଙ୍କ ଦରମା ବନ୍ଦ ଚେତାବନୀ ପରେ ବି ଡାକ୍ତରମାନେ ଆଜି ଆନ୍ଦୋଳନ କରୁଛନ୍ତି । ୧୨ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ ସମସ୍ତ ସିଡିଏମଓ ମାନଙ୍କୁ ନିର୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । କାର୍ଯ୍ୟରେ ଯୋଗ ନ ଦେଲେ ଆନ୍ଦୋଳନରତ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ମେଡିକାଲ କଲେଜ ଅଧ୍ୟକ୍ଷ ଏବଂ ଅଧୀକ୍ଷକଙ୍କୁ ଚିଠି କରାଯାଇଛି । ଆବଶ୍ୟକ ପଡ଼ିଲେ ସେବା ନିୟମ ଅନୁଯାୟୀ ଅନ୍ୟାନ୍ୟ ପ୍ରଶାସନିକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇପାରେ ବୋଲି ସତର୍କ କରାଯାଇଛି ।
ରୋଗୀ ସେବା ସ୍ୱାଭାବିକ ରଖିବା ପାଇଁ ସରକାର ବିକଳ୍ପ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଏପଟେ ଆନ୍ଦୋଳନରତ ଡାକ୍ତରମାନେ ନିଜ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ସଙ୍କେତ ଦେଇଥିବାବେଳେ, ଉଭୟ ପକ୍ଷଙ୍କ ମଧ୍ୟରେ ସମାଧାନର ବାଟ କେବେ ବାହାରିବ ସେଥିପାଇଁ ସମସ୍ତଙ୍କ ନଜର ରହିଛି । ରାଜ୍ୟ ସରକାର ସର୍ବଦା ଡାକ୍ତରମାନଙ୍କ ଯୁକ୍ତିସଙ୍ଗତ ଦାବି ପ୍ରତି ସମ୍ବେଦନଶୀଳ ରହିଛନ୍ତି । କିନ୍ତୁ ରୋଗୀଙ୍କ ସ୍ୱାର୍ଥ ଓ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ ସେବାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି । ସେଥିପାଇଁ ଆନ୍ଦୋଳନରତ ଡାକ୍ତରମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଜଣାଇ ଦିଆଯାଇଛି। ସେମାନେ କାର୍ଯ୍ୟରେ ଯୋଗଦେବା ପରେ ସେମାନଙ୍କ ଦାବିଗୁଡ଼ିକ ଉପରେ ଗଠନମୂଳକ ଆଲୋଚନା କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି |




