ଜନଗଣନା କରିବାକୁ ଯାଇ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ , ଅଂଶୁଘାତ ଅଭିଯୋଗ କଲେ ପରିବାର

ଜନଗଣନା କରିବାକୁ ଯାଇ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ , ଅଂଶୁଘାତ ଅଭିଯୋଗ କଲେ ପରିବାର
Samaya Live News Picture
Published On

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରୁ ଆସିଛି ୨ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ । ଜନଗଣନା କାର୍ଯ୍ୟ କରିବାକୁ ଯାଇ ଜଣେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବାବେଳେ ବିଲରେ ଚାଷ କରୁଥିବା ସମୟରେ ଜଣେ ଚାଷୀଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗତକାଲି ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ କ୍ଲଷ୍ଟର ସୁନାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବଂଶୀଧର ଭୋଇ(୫୫)।ଜନଗଣନା କରିବାକୁ ଯାଇଥିଲେ । ତେବେ ସେଠାରେ ଅସୁସ୍ଥତା ଅନୁଭବ କରିବାକୁ ଘରକୁ ଆସିଥିଲେ। ତାଙ୍କୁ ତୁରନ୍ତ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ମାତ୍ରେ ସେଠାରେ ତାଙ୍କ ସ୍ବାସ୍ଥ୍ୟ ଗୁରୁତର ଥିବାରୁ ତାଙ୍କୁ ସୋନପୁର ଡାକ୍ତରଖାନାକୁ ନେବା ପାଇଁ ଡାକ୍ତର ପରାମର୍ଶ କରିଥିଲେ। ତାଙ୍କୁ ସୋନପୁର ମେଡିକାଲ ନେବାକୁ ବାହାରିଲା ବେଳକୁ ମୃତ୍ୟୁ ହୋଇଥିଲା । ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ବଂଶୀଧରଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ତାଙ୍କ ସ୍ତ୍ରୀ ବାସନ୍ତୀ ଅଭିଯୋଗ କରୁଛନ୍ତି।

ବଂଶୀଧରଙ୍କ  ଘର ଉଲୁଣ୍ଡା ବ୍ଲକ କାଦୋଦର ପଞ୍ଚାୟତ ଅନ୍ତର୍ଗତ ବମରାଜ ଗ୍ରାମରେ । ସେ ଆଜକୁ ପାଞ୍ଚ ବର୍ଷ ହେଲା ସୁନାପାଲି ୟୁପି ସ୍କୁଲରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲେ। ଜନଗଣନା ପାଇଁ ତାଙ୍କୁ କୋଟସମଲାଇ ପଞ୍ଚାୟତର ସୁନାପାଲି ସମେତ ଜଉଁରା ଭଉଁରା ପଞ୍ଚାୟତ ପୁଡ଼ାମାଲ ଓ ଧଉରାଦାଦର ଗ୍ରାମର ଦାୟିତ୍ୱ ଦିଆଯାଇଥିଲା। ବଂଶିଧରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଏବଂ ୨ଝିଅ ବେସାହାରା ହୋଇ ପଡିଛନ୍ତି । ଶିକ୍ଷକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।

ସେପଟେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଚରଦା ଗାଁର ଚାଷୀ ରାମଚନ୍ଦ୍ର ଖମାରୀ ଜମିରେ ଚାଷ କରୁଥିବାବେଳେ ଟଳି ପଡ଼ିଥିଲେ । ଅସୁସ୍ଥ ଅବସ୍ଥାରେ ତାଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଅପମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଅଂଶୁଘାତ ଜନିତ ବୋଲି ଅଭିଯୋଗ କରି ତୁରନ୍ତ ସହାୟତା ରାଶି ଯୋଗାଇ ଦେବାକୁ ଦାବି କରିଛନ୍ତି  ।

Tags: