ଟ୍ରାକ୍ଟରକୁ ହାତକଡ଼ି !
ମୟୁରଭଞ୍ଜ : ଶୁଣିବାକୁ ଅଡୁଆ ଲାଗୁଥିଲେ ବି କଥାଟି ସତ । ଥାନା ବାହାରେ ଠିଆ ହୋଇଥିବା ଟ୍ରାକ୍ଟରରେ ପଡିଛି ହାତକଡ଼ି । ବାଲି ମାଫିଆଙ୍କ କବଳରୁ ଉଦ୍ଧାର ହୋଇଥିବା ବାଲି ବୋଝେଇ ଟ୍ରାକ୍ଟର ଷ୍ଟିୟରିଂରେ ହାତକଡ଼ି ପକାଇ ରଖିଛି ପୋଲିସ। ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ କୁଶଲଦା ଫାଣ୍ଡିରେ। ଅପରାଧୀଙ୍କ ହାତରେ ପଡ଼ୁଥିବା ହାତକଡ଼ି ଟ୍ରାକ୍ଟରରେ ପଡ଼ିଥିବା ଦେଖିବାକୁ ମିଳିଛି ।
ଘଟନାନୁସାରେ, ଏଗ୍ରିକଲଚର ପାଇଁ ସରକାରୀ ସ୍ତରରେ ଦିଆଯାଉଥିବା ସୁବିଧାରେ କିଣା ଯାଇଥିବା ଟ୍ରାକ୍ଟରରେ ଚାଲିଥିଲା ଚୋରା ବାଲି ଚାଲାଣ । ଯାହାକୁ ଶୁକ୍ରବାର ବିଳମ୍ବିତ ରାତିରେ କୁଶଳଦା ପୋଲିସ ଦାମାସାହି ଛକ ନିକଟରୁ ଜବତ କରିଥିଲା । ଜବତ ଟ୍ରାକ୍ଟରରେ ଚୋରା ବାଲି ବୋଝେଇ ହୋଇଥିବା ବେଳେ ତାକୁ ଆଣି ଫାଣ୍ଡିରେ ରଖିଥିଲା ପୋଲିସ । ହେଲେ ଫାଣ୍ଡିରେ ପାଚେରୀ ନଥିବାରୁ ଜବତ ଟ୍ରାକ୍ଟରଟିକୁ ମାଫିଆମାନେ ନେଇଯିବାର ସନ୍ଦେହ କରିଥିଲା ପୋଲିସ । ଯାହା ଫଳରେ ଜବତ ଟ୍ରାକ୍ଟରର ଷ୍ଟିୟରିଂରେ ହାତକଡ଼ି ପକାଇଥିଲା ପୋଲିସ ।



