ଗୁଣି ଗାରେଡି ହେଲା କାଳ,ମାଟି ଧସି ଘର ମାଲିକ ମୃତ
କେନ୍ଦ୍ରାପଡା : ଅନ୍ଧ ବିଶ୍ୱାସର କରୁଣା ପରିଣତି । ଭୁତ ଛଡ଼ାଇବା ପାଇଁ ଗୁଣିଆକୁ ଡାକି ଘରେ ଗାତ ଖୋଳି ପୂଜା ଚାଲିଥିବାବେଳେ ମାଟି ଅତଡ଼ା ଧସି ପୋତି ହୋଇ ଘର ମାଲିକଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ । ମୃତକ ହେଉଛନ୍ତି ଗାଁ ର ଦଣ୍ଡପାଣି ମହାରଣାଙ୍କ ପୁଅ ଜଗବନ୍ଧୁ ମହାରଣା (୪୦) । ଘରେ ବାରମ୍ବାର ପାଟିତୁଣ୍ଡ ଅଶାନ୍ତି ହେଉଥିବାରୁ ଘରେ ଏକ ପ୍ରତାତ୍ମାର ପ୍ରଭାବ ରହିଛି ବୋଲି ତାନ୍ତ୍ରିକ କହିଥିଲେ । ପ୍ରେତ ଛଡ଼ାଇବା ପାଇଁ ପୂଜାର୍ଚ୍ଚନା ଚାଲିଥିବାବେଳେ ଏହି ଅଘଟଣ ଘଟିଥିଲା । ୨ ତାନ୍ତ୍ରିକଙ୍କୁ ଧରି ପୋଲିସ ରେ ଜିମା ଦେଇଛନ୍ତି ଗାଁ ଲୋକେ ।
ଘଟନାନୁସାରେ,ପାଳକଣା ଗାଁ ର ଦଣ୍ଡପାଣି ମହାରଣାଙ୍କ ୨ ପୁଅ ଚନ୍ଦ୍ରଭାନୁ ଓ ଜଗବନ୍ଧୁ ମହାରଣା । ଘରେ ଅନେକ ସମୟରେ ଅଶାନ୍ତି ଲାଗି ରହୁଥିଲା । ଏହାକୁ ନେଇ ସେମାନେ ଜଣେ ତାନ୍ତ୍ରିକର ପରାମର୍ଶ ନେଇଥିଲେ । ତେବେ ଘର ଅଗଣାରେ ଏକ ପ୍ରେତାତ୍ମା ରହୁଥିବା ସହ ମାଟି ତଳେ ବହୁ ଗୁପ୍ତ ଧନ ଅଛି ବୋଲି ତାନ୍ତ୍ରିକ ଘର ମାଲିକଙ୍କୁ କହିଥିଲା । କିଛି ଦିନ ଧରି ଘରେ ପୂଜା ପାଠ ଚାଲିଥିଲା । ଗତକାଲି ସନ୍ଧ୍ୟାରେ ଘର ଅଗଣା ୧୦ ଫୁଟ ଖୋଳାଯାଇ ପୂଜା ପାଠ ଚାଲିଥିବା ବେଳେ ହଠାତ ମାଟି ଅତଡ଼ା ଧସି ଯିବାରୁ ଜଗବନ୍ଧୁ ତା' ଭିତରେ ପ୍ରାୟ ୪୫ ମିନିଟ ଧରି ପୋତି ହୋଇଯାଇଥିଲେ । ଅନେକ ସମୟ ପରେ ମାଟି ତଳୁ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସ୍ପିଟାଲ ନେଇଥିଲେ ପରିବାର ଲୋକେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା I ଘଟଣା ପରେ ୩ଜଣ ତାନ୍ତ୍ରିକ ଖସି ପଳାଉଥିବା ବେଳେ ୨ ଜଣଙ୍କୁ ଧରି ଗ୍ରାମବାସୀ ନିକିରାଇ ପୋଲିସରେ ଜିମା ଦେଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗିରହିଛି ।




