କଳିଙ୍ଗା ଘାଟିରେ ଭୁଶୁଡ଼ିଲା ନିର୍ମାଣଧୀନ ଗାର୍ଡୱାଲ୍

କଳିଙ୍ଗା ଘାଟିରେ ଭୁଶୁଡ଼ିଲା ନିର୍ମାଣଧୀନ ଗାର୍ଡୱାଲ୍
Samaya Live News Picture
Published On

ଭଞ୍ଜନଗର : କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ। ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଛି ନିର୍ମାଣଧୀନ ଗାର୍ଡୱାଲ୍ । କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିର ଅନ୍ଧାରକୋଟି ସମ୍ମୁଖରେ ନିର୍ମାଣ ଚାଲିଥିବା ଗାର୍ଡୱାଲ୍ ବର୍ଷା ପାଣିରେ ଧୋଇ ହୋଇଯାଇଥିବା ସୂଚନା ମିଳିଛି। । ଜାତୀୟ ରାଜପଥ-୧୫୭ (NH-157) ର ଅନ୍ଧାରକୋଟ ବନଦୁର୍ଗା ମନ୍ଦିର ସମ୍ମୁଖରେ ଏହି ଅଘଟଣ ଘଟିଛି, ଯାହାଫଳରେ ରାସ୍ତାର ପ୍ରାୟ ୨୦୦ ମିଟର ଅଂଶ ସମ୍ପୂର୍ଣ୍ଣ ଭାବେ ଧୋଇଯାଇଛି।

ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପର ମୁଣ୍ଡିଆରୁ ପ୍ରଖର ଜଳସ୍ରୋତ ବୋହି ଆସିବା ଫଳରେ  ଅନ୍ଧାରକୋଟ ନିକଟରେ ନବନିର୍ମିତ କାନ୍ଥ ଓ ରାସ୍ତା ଦବି ଯାଇଛି । ଘଟଣା ପରେ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗାର୍ଡୱାଲ୍ ନିର୍ମାଣ କାମର ସ୍ଥିତି ଏବଂ ବର୍ଷା ପରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅଧିକାରୀମାନେ ଯାଞ୍ଚ କରୁଛନ୍ତି । ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ବ୍ୟାରିକେଡ୍ ଲଗାଇ ଗଞ୍ଜାମ ଓ କନ୍ଧମାଳ ଉଭୟ ପାର୍ଶ୍ୱରୁ ଘାଟି ରାସ୍ତାକୁ ସିଲ୍ କରାଯାଇଥିଲା । 

ବର୍ଷା ଜାରି ରହିଥିବାରୁ ଅଞ୍ଚଳର ସ୍ଥିତି ଉପରେ ବିଭାଗୀୟ ଅଧିକାରୀମାନେ ନଜର ରଖିଛନ୍ତି । ଏହି ରାସ୍ତାଟି ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାକୁ ଯୋଡ଼ୁଥିବା ଏକ ପ୍ରମୁଖ ମାଧ୍ୟମ ହୋଇଥିବାରୁ ବର୍ତ୍ତମାନ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।

Tags: