ନୂଆ ଖଣିଜ ନିୟମ ଲାଗୁ କରିବେ ସରକାର
ଇ-ଲଟେରୀରେ ବାଲି ଓ ପଥର ଖଣି ଲିଜ୍
ଭୁବନେଶ୍ୱର : ନୂଆ ଖଣିଜ ନିୟମ ଲାଗୁ କଲେ ସରକାର । ଖଣି ମାଫିଆଙ୍କ ଉପରେ ଲାଗିବ ଅଙ୍କୁଶ। ଏଣିକି ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍। ରାଜ୍ୟରେ ବାଲି, ପଥର, ମୋରମ ଭଳି ଲଘୁ ଖଣିଜ ସମ୍ପଦ ସୁପରିଚାଳନା ଏବଂ କଳାବଜାରୀ ରୋକିବା ପାଇଁ ଓଡ଼ିଶା ସରକାର ଏକ ବୈପ୍ଳବିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏମଏସପି ଧାର୍ଯ୍ୟ କରିବେ ସରକାର। 'ଓଡ଼ିଶା ଲଘୁ ଖଣିଜ ରିହାତି (ସଂଶୋଧନ) ନିୟମାବଳୀ, ୨୦୨୫ ଅଧୀନରେ ନୂତନ କାର୍ଯ୍ୟକାରୀ ମାର୍ଗଦର୍ଶିକା ଜାରି କରାଯାଇଛି । କୌଣସି ବି ଖଣି ମାଲିକ ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ଦରରେ ସାମଗ୍ରୀ ବିକ୍ରି କରିପାରିବେ ନାହିଁ ।
ନୂଆ ଗାଇଡଲାଇନ୍ ଅନୁସାରେ, ଏକଚାଟିଆ କାରବାର ବା କାର୍ଟେଲାଇଜେସନ୍ ରୋକିବା ପାଇଁ ସରକାର ଇ-ଅକ୍ସନ ବା ନିଲାମ ବନ୍ଦ କରି ଇ-ଲଟେରୀ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସ୍ଥିର ଅତିରିକ୍ତ ଚାର୍ଜରେ ଇ-ଲଟେରୀ ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ କରାଯିବ । ଆବେଦନକାରୀଙ୍କୁ ଏମଏସଟିସି ପୋର୍ଟାଲରେ ‘ଫର୍ମ-ସି’ରେ ଅନଲାଇନରେ ଆବେଦନ କରିବାକୁ ପଡ଼ିବ ।
୧୦ହଜାର ଟଙ୍କା ଅଣଫେରସ୍ତ ଆବେଦନ ଫି' ଜମା ସହ ୧୦% ଅମାନତ ରାଶି (ଇଏମଡି) ଜମା କରିବାକୁ ପଡ଼ିବ । ଆବେଦନ ସହିତ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଥିବା ଏକ ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ । ସଂପୂର୍ଣ୍ଣ ପ୍ରକ୍ରିୟାକୁ ଡିଜିଟାଲ୍ କରାଯାଇଥିବାରୁ ଏଥିରେ କୌଣସି ହେରଫେର ମଧ୍ୟ ହୋଇପାରିବ ନାହିଁ । ଯେଉଁମାନେ ପୂର୍ବରୁ ନିଲାମ ମାଧ୍ୟମରେ ଲିଜ୍ ପାଇଛନ୍ତି, ସେମାନେ ମଧ୍ୟ ଚାହିଁଲେ ନୂଆ ନିୟମ ଅନୁଯାୟୀ ମାଇଗ୍ରେଟ୍ ବା ସାମିଲ ହୋଇପାରିବେ।



