କେଜି ରୁ ପିଜି ଯାଏଁ ମାଗଣା ପାଠ ପଢାକୁ ସରକାରଙ୍କ ଗୁରୁତ୍ତ୍ଵ
ଭୁବନେଶ୍ୱର: ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ନେଇଛନ୍ତି ଏକ ଯୁଗାନ୍ତକାରୀ ତଥା ଐତିହାସିକ ନିଷ୍ପତ୍ତି । ୪୩ ତମ କ୍ୟାବିନେଟ ବୈଠକରେ ୧୨ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି । ଏହା ମଧ୍ୟରୁ ସବୁଠାରୁ ବଡ଼ ନିଷ୍ପତ୍ତି ହେଉଛି “ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି” ଯୋଜନା । ବୈଠକ ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ରାଜ୍ୟର କେ.ଜି (KG) ରୁ ପି.ଜି (PG) ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା ପ୍ରଦାନ କରାଯିବ। ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ନାମଲେଖା ହେବ ମାଗଣା । ସ୍ନାତକୋତ୍ତର ଶିକ୍ଷା ପର୍ଯ୍ୟନ୍ତ ନାମଲେଖା ଦେୟ ପଡ଼ିବନି । ବର୍ଷକୁ ସରକାରଙ୍କୁ ଏଥିପାଇଁ ୮୯୫ କୋଟି ବହନ କରିବାକୁ ପଡ଼ିବ ।
ଏହି ଯୋଜନାରେ ସ୍ବୟଂ-ଅର୍ଥପୋଷିତ (ସେଲ୍ଫ ଫାଇନାନ୍ସିଂ), ଅଣ ଅନୁଦାନପ୍ରାପ୍ତ, ପିପିପି ମୋଡ୍ ପରିଚାଳିତ ଅନୁଷ୍ଠାନ ଓ ପାଠ୍ୟକ୍ରମ ତଥା ବୃତ୍ତିଗତ, ବୈଷୟିକ ପାଠ୍ୟକ୍ରମ ଗୁଡ଼ିକୁ ସାମିଲ କରାଯାଇ ନାହିଁ। କେବଳ ଯୋଗ୍ୟ ସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ନିୟମିତ ପାଠ୍ୟକ୍ରମର ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ । ଏହି ଐତିହାସିକ ନିଷ୍ପତ୍ତି ଦ୍ବାରା ରାଜ୍ୟର ଜଣେ ବି ଛାତ୍ର କିମ୍ବା ଛାତ୍ରୀ ଆଉ ଆର୍ଥିକ ଅଭାବ କାରଣରୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ କିମ୍ବା ପାଠପଢ଼ା ମଝିରୁ ଛାଡ଼ିବେ ନାହିଁ ।
ସେହିପରି ଚଳିତ ବର୍ଷ ଠାରୁ ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ। ପୂର୍ବରୁ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା । ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ପରିପ୍ରେକ୍ଷୀରେ ଆଗାମୀ ୪ ବର୍ଷ ପାଇଁ ୪୬.୬ ଲକ୍ଷ ମାଧ୍ୟମିକ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ପାଇଁ ୩୫୦୬.୯୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।




