ଜନଗଣନା କର୍ମଚାରୀଙ୍କୁ ସୁରକ୍ଷା ପାଇଁ ସରକାରଙ୍କ ନିର୍ଦ୍ଦେଶ

ଜନଗଣନା କାରୀଙ୍କୁ ଟ୍ରାକ କରାଯିବ

ଜନଗଣନା କର୍ମଚାରୀଙ୍କୁ ସୁରକ୍ଷା ପାଇଁ ସରକାରଙ୍କ ନିର୍ଦ୍ଦେଶ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ଜନଗଣନା (ହାଉସଲିଷ୍ଟିଂ ଓ ହାଉସିଂ ସେନ୍ସସ୍) କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ସରକାରଙ୍କ ନିର୍ଦ୍ଦେଶ । ଗତ ୧୬ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ଗଣନା ପ୍ରକ୍ରିୟା ଆସନ୍ତା ମେ’ ୧୫ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମ୍ନାକୁ ଆସିଥିବା ଘଟଣାଗୁଡ଼ିକୁ ନେଇ ଚିନ୍ତିତ ଅଛନ୍ତି ସରକାର । ଗତ କିଛି ଦିନ ମଧ୍ୟରେ କାର୍ଯ୍ୟରତ ଗଣନାକାରୀଙ୍କ ସମ୍ପର୍କରେ ଆସିଥିବା ଅତ୍ୟନ୍ତ ଦୁଃଖଦ ଖବର ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସୋନପୁର ଜିଲ୍ଲାରେ ଜଣେ ଗଣନାକାରୀଙ୍କ କାର୍ଯ୍ୟରୁ ଫେରିବା ପରେ ହୃଦଘାତରେ ମୃତ୍ୟୁ ହୋଇଥିବା ବେଳେ , ମୟୂରଭଞ୍ଜ ଜିଲ୍ଲାରେ ଜଣେ ମହିଳା ଗଣନାକାରୀ ନିଖୋଜ ହୋଇଯାଇଲେ । ସେହିପରି ବାଲେଶ୍ୱର ଏବଂ ରାଉରକେଲାରୁ ଜନଗଣନା କାରୀଙ୍କ ଦୁର୍ଘଟଣାଜନିତ ଖବର ମିଳିଛି ।

ଏହି ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ଅରବିନ୍ଦ କୁମାର ପାଢ଼ୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି । ବିଶେଷ ଭାବେ ଗ୍ରୀଷ୍ମ ପ୍ରବାହ ବା ତାତିଜନିତ ସମସ୍ୟାକୁ ମୁକାବିଲା କରିବା, କାର୍ଯ୍ୟ ସମୟରେ ରହିଥିବା ବିପଦଗୁଡ଼ିକୁ ଚିହ୍ନଟ କରିବା ଏବଂ ଗଣନାକାରୀମାନଙ୍କୁ ନିୟମିତ ଭାବେ ଟ୍ରାକ୍ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ, କାମାକ୍ଷାନଗରରୁ ଆସିଛି ଆଉ ଏକ ଉଦବେଗଜନକ ଘଟଣା । ଜନଗଣନା କରିବାକୁ ଯାଇଥିବାବେଳେ ୪ଜଣ ଅଧିକାରୀ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି  । ଏମାନଙ୍କ ମଧ୍ୟରେ ୨ଜଣ ମହିଳା ଶିକ୍ଷୟିତ୍ରୀ ମଧ୍ୟ ଜନଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଆକ୍ରମଣକାରୀ ବାପା ଗାଳି ଗୁଲଜ କରିବା ସହିତ ତାଙ୍କ ୨ପୁଅ ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରି ତାଙ୍କ ଗାଡିକୁ ଭାଙ୍ଗି ଚୁନା କରି ଦେଇଥିବା ଅଭିଯୋଗ ହୋଇଛି । ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି କାମାକ୍ଷାନଗର ଉପଜିଲ୍ଲାପାଳ । 

Tags: