ଗଭୀର ଅବପାତକୁ ଆକ୍ସନ ମୁଡ଼ରେ ସରକାର ,୧୦ ଜିଲ୍ଲା କଲେକ୍ଟରଙ୍କ ସହ ରାଜସ୍ୱ ମନ୍ତ୍ରୀଙ୍କ ଜରୁରୀ ବୈଠକ
ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ଜନିତ ପ୍ରବଳ ବର୍ଷାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଅଞ୍ଚଳରେ ଭାରି ବର୍ଷା ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଏହି ସିଷ୍ଟମ୍ ଆଜି ରାତି ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳର କଳିଙ୍ଗପଟ୍ଟନମ ନିକଟରେ, ଗୋପାଳପୁର ଓ ବିଶାଖାପଟ୍ଟନମ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସତର୍କ ହୋଇପଡ଼ିଛନ୍ତି । ପ୍ରଭାବିତ ଅଞ୍ଚଳରେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିବାବେଳେ ବିଭିନ୍ନ ଜିଲ୍ଲାର ତଦାରଖ ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଅବପାତର ପ୍ରଭାବରେ କୋରାପୁଟ, ଗଜପତି, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡି ଭଳି ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । ଏହାକୁ ମୁକାବିଲା ପାଇଁ ଆଗୁଆ ଯୋଜନା ପ୍ରସ୍ତୁତି କରାଯାଇଛି । ପଞ୍ଚାୟତିରାଜ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ରବି ନାୟକଙ୍କୁ କୋରାପୁଟ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ସେ କୋରାପୁଟ ଓ ଆଖପାଖ ଅଞ୍ଚଳରେ ପରିସ୍ଥିତିର ତଦାରଖ କରିବେ ।
ସେହିପରି ,ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଗଜପତି ଓ ଆଖପାଖ ଅଞ୍ଚଳର ଦାୟିତ୍ୱ ଦିଆଯାଇଛି । ରାୟଗଡ଼ା, ମାଲକାନଗିରି, ଗଜପତି, ଗଞ୍ଜାମ ଓ କୋରାପୁଟ ଭଳି ସମ୍ବେଦନଶୀଳ ଜିଲ୍ଲାର ବିଜେପି ବିଧାୟକମାନଙ୍କୁ ମଧ୍ୟ ନିଜ ନିଜ ନିର୍ବାଚନମଣ୍ଡଳୀର ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ସମୟରେ ଲୋକଙ୍କ ପାଖରେ ରହିବାକୁ କୁହାଯାଇଛି ।
ମନ୍ତ୍ରୀ କହିଛନ୍ତି, “ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ସମସ୍ତ ବିଭାଗ ସଜାଗ ରହିଛି ଏବଂ ରିଅଲ୍-ଟାଇମ୍ ମନିଟରିଂ ଚାଲିଛି।”
IMD ସେପ୍ଟେମ୍ବର ୨୪ ସକାଳ ୮:୩୦ ପର୍ଯ୍ୟନ୍ତ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ସେହିପରି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡା, ଗଜପତି ଓ ଗଞ୍ଜାମ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ବଳବତ୍ତର ରହିଛି ।
ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩୩ଟି ODRAF ଟିମ୍ ମୁତୟନ କରାଯାଇଥିବା ବେଳେ ଛତ୍ରପୁରରେ ଆଉ ୯ଟି ଟିମ୍ ଷ୍ଟାଣ୍ଡବାଇରେ ରହିଛି । ସମସ୍ତ ବନ୍ଦରରେ ଲୋକାଲ୍ କସନାରୀ ସିଗ୍ନାଲ୍-୩ ଜାରି କରାଯାଇଛି ଏବଂ ସମୁଦ୍ରରେ ୫୫ରୁ ୬୫ କିମି ବେଗର ପବନ ସହ ଦମକା ପବନ ୭୫ କିମି ପର୍ଯ୍ୟନ୍ତ ବହିବାର ଆଶଙ୍କା ରହିଛି ।
ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ କଡ଼ା ପରାମର୍ଶ ଦିଆଯାଇଛି। ତଳିଆ ଅଞ୍ଚଳ, ପାହାଡ଼ିଆ ଜିଲ୍ଲା ଓ ଭୂସ୍ଖଳନପ୍ରବଣ ସ୍ଥାନରେ ବସବାସ କରୁଥିବା ଲୋକଙ୍କୁ ସରକାରୀ ସତର୍କ ସୂଚନା ଉପରେ ନଜର ରଖିବାକୁ ଅନୁରୋଧ କରାଯାଇଛି।




