ମେ ୩୧ସୁଦ୍ଧା କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦେବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦେଶ
ଭୁବନେଶ୍ୱର : କାମରେ ଫାଙ୍କି ପାରିବେ ନାହିଁ ସରକାରୀ କର୍ମଚାରୀ । ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ପାଇଁ କଡ଼ା ନିର୍ଦ୍ଦେଶ । ରାଜ୍ୟରେ ଥିବା ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ମାନେ କେତେ କାମ କରୁଛନ୍ତି, ତାହାର କଡ଼ା ଗଣ୍ଡା ହିସାବ ନେବେ ସରକାର । ବିଭାଗୀୟ କର୍ମଚାରୀଙ୍କ କାମ ବାବଦରେ ରିପୋର୍ଟ ଦେବା ପୂର୍ବରୁ ନିଜେ କର୍ମଚାରୀ ସ୍ୱ-କାର୍ଯ୍ୟଦକ୍ଷତା ରିପୋର୍ଟ ବା ସେଲ୍ଫ ଆପ୍ରେଜାଲ୍ ରିପୋର୍ଟ ଦାଖଲ କରିବେ। ମେ’ ୩୧ ତାରିଖ ସୁଦ୍ଧା ସରକାରୀ କର୍ମଚାରୀମାନଙ୍କୁ ଅନଲାଇନ୍ରେ ସେଲ୍ଫ ଆପ୍ରେଜାଲ୍ ରିପୋର୍ଟ ଦାଖଲ କରିବାକୁ ପଡ଼ିବ । ରାଜ୍ୟ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଏନେଇ ନୂଆ କାର୍ଯ୍ୟସୂଚୀ ଜାରି ହୋଇଛି।
ସେହିପରି ଜୁଲାଇ ୩୧ ତାରିଖ ସୁଦ୍ଧା କର୍ମଚାରୀ ଦେଇଥିବା ସ୍ୱ-କାର୍ଯ୍ୟଦକ୍ଷତା ରିପୋର୍ଟ ଉପରେ ମନ୍ତବ୍ୟ ଦେବେ ତାଙ୍କର ରିପୋର୍ଟିଂ ଅଥରିଟି । କର୍ମଚାରୀ ଠିକ୍ ଲେଖିଛନ୍ତି କି ନାହିଁ, ସେ ନେଇ ଅନଲାଇନ୍ରେ ମତ ରଖିବେ ।
ଅନୁରୁପ ଭାବେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ମନ୍ତବ୍ୟ ଦେବେ ସମୀକ୍ଷା କରୁଥିବା ଅଧିକାରୀ ବା ସମୀକ୍ଷକ । ଡିସେମ୍ବର ୩୧ ତାରିଖ ସୁଦ୍ଧା ଚୂଡାନ୍ତ ଅଧିକାରୀ ବା ସେହି ମତକୁ ଗ୍ରହଣ କରୁଥିବା ଅଧିକାରୀ ମତ ଦେବେ ।



