ସତର୍କ ସୂଚନା ଉପରେ ସୁବର୍ଣ୍ଣରେଖା , ବଢୁଛି ବୁଢ଼ାବଳଙ୍ଗ

ସତର୍କ ସୂଚନା ଉପରେ ସୁବର୍ଣ୍ଣରେଖା , ବଢୁଛି ବୁଢ଼ାବଳଙ୍ଗ
Samaya Live News Picture
Published On

ବାଲେଶ୍ୱର / ମୟୁରଭଞ୍ଜ : ଲଗାଣ ବର୍ଷାରେ ବେହାଲ ଉତ୍ତର ଓଡିଶା । ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ସତର୍କ ସୂଚନା ଅତିକ୍ରମ କରିଥିବାବେଳେ ମୟୁରଭଞ୍ଜରେ ବନ୍ୟା ଆଶଙ୍କା ଦେଖାଦେଇଛି । ଲଗାତାର ବୁଢା ବଳଙ୍ଗର ଜଳସ୍ତର ବୃଦ୍ଧି ପାଉଛି । ନଦୀ ବଢିବା ଫଳରେ ବାରିପଦା ସହରରେ ମଧୁବନ ଏବଂ ତଳି ଅଞ୍ଚଳରେ ଅନେକ ସ୍ଥାନ ଜଳମଗ୍ନ ହୋଇଯାଇଛି । ସେହିପରି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଗତ କାଲି ରାତିରୁ ବୈତରଣୀ ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି । ବିପଦ ସଂକେତ ମୁହାଁ ହୋଇଛି ବୈତରଣୀ ନଦୀର ଜଳସ୍ତର । ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ମିଟର ଥିବା ବେଳେ ୧୮.୨୮ ଉପରେ ଜଳ ପ୍ରବାହିତ ହେଉଛି । ଫଳରେ ଉତ୍ତର ନଡ଼ିଶାରେ ପୁଣି ଥରେ ବନ୍ୟା ଆଶଙ୍କା ଦେଖାଦେଇଛି ।

ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ଟି ବ୍ଲକରେ ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନ ଏହି ପଦକ୍ଷେପ ନେଇଛି।ଛୁଟି ଘୋଷଣା ହୋଇଥିବା ବ୍ଲକଗୁଡ଼ିକ ହେଲା ସାରସକଣା, ବାଙ୍ଗିରିପୋଷି, ବିଶୋଇ, କୁଳିଅଣା, ବଡ଼ସାହି ଓ ବେତନଟୀ। ଏହି ବ୍ଲକଗୁଡ଼ିକର ସମସ୍ତ ସ୍କୁଲ୍‌ରେ ପାଠପଢ଼ା ବନ୍ଦ ରହିବ।

ଅନ୍ୟପଟେ,  ବାଲେଶ୍ଵରରେ ବିପଦ ସଙ୍କେତ ଛୁଇଁଲା ଜଳକା ନଦୀ । ଆଜି ସକାଳ ୬ଟା ସୁଦ୍ଧା ନଦୀର ଜଳସ୍ତର ୬.୫୦ ମିଟର ରହିଛି। ସେହିଭଳି ବୁଢ଼ାବଳଙ୍ଗ ନଦୀ ସକାଳ ୬ଟା ସୁଦ୍ଧା ସତର୍କ ସଙ୍କେତ ଅତିକ୍ରମ କରିଥିବା ବେଳେ ଜଳସ୍ତର ୭.୨୮ ମିଟର ରହିଛି । ସୁବର୍ଣ୍ଣରେଖା ନଦୀ ରେ ମଧ୍ୟ ବଢୁଛି ଜଳସ୍ତର । ସକାଳ ୬ ଟା ସୁଦ୍ଧା ନଦୀର ଜଳସ୍ତର ୯.୩୨ ମିଟରରେ ପହଞ୍ଚିଛି ।

ସେପଟେ ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା । ଆଜି ମଧ୍ୟ ଅଧା ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ସତର୍କ କରାଇଛି । ୨ ଓ ୩ ତାରିଖରେ ମଧ୍ୟ ବିଚ୍ଛିନ୍ନ ଭାବେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାରି ମଧ୍ୟରେ ଚଳିତ ବର୍ଷ ଓଡ଼ିଶା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିଛି ।

Tags: