ଯୁଦ୍ଧ ବିଭୀଷିକା ମଧ୍ୟରେ ସୁନା ବଜାରରେ ବ୍ୟାପକ ମୂଲ୍ୟହ୍ରାସ
୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୧,୪୦,୨୦ ଟଙ୍କା ଏବଂ ୨୨ କ୍ୟାରେଟ ସୁନା ୧,୨୮,୩୫୦ ରୂପା କିଲୋ ୨, ୧୧, ୭୨୯ ଟଙ୍କାକୁ ଖସିଛି
ଭୁବନେଶ୍ୱର : ଦିନକୁ ଦିନ ମଧ୍ୟପ୍ରାଚ୍ୟ ଯୁଦ୍ଧ ଉଗ୍ର ହେଉଛି । ଏହାରି ଭିତରେ ଭାରତୀୟ ବଜାରରେ ହୁ ହୁ ହୋଇ ସୁନା ଦର ଖସୁଛି । ଏହା ଗ୍ରାହକଙ୍କ ପାଇଁ ଖୁସି ଖବର ହୋଇଥିବାବେଳେ ନିବେଶକଙ୍କ ପାଇଁ ଚିନ୍ତା ବଢ଼ିଛି । ଗୋଟିଏ ସପ୍ତାହ ମଧ୍ୟରେ ଲଗାତାର ତଳମୁହାଁ ହୋଇଛି ସୁନା ଦର। ତେବେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ବିଶ୍ୱସ୍ତରୀୟ ବେଞ୍ଚମାର୍କ ଅଶୋଧିତ ତୈଳ ଦର ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।
ଆଜି ସୁନା ଦରରେ ଦେଖିବାକୁ ମିଳିଛି ବଡ଼ ଧରଣର ହ୍ରାସ। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ପ୍ରାୟ ୬ ହଜାର ଟଙ୍କା ଶସ୍ତା ହୋଇଥିବା ବେଳେ, ୨୨ କ୍ୟାରେଟ୍ ସୁନା ଦରରେ ମଧ୍ୟ ପ୍ରାୟ ସାଢ଼େ ୫ ହଜାର ଟଙ୍କାର ହ୍ରାସ ଘଟିଛି। ଫଳରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଏବେ ୧ ଲକ୍ଷ ୨୮ ହଜାର ୩୫୦ ଟଙ୍କାକୁ ଖସିଛି ଏବଂ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୧ ଲକ୍ଷ ୪୦ ହଜାର ୨୦ ଟଙ୍କା ରହିଛି ।
ମଲ୍ଚି କମୋଡିଟି ଏକ୍ସଚେଞ୍ଜରେ ରୁପା ଅଚାନକ ୧୫ ହଜାର ଟଙ୍କା ଶସ୍ତା ହୋଇଛି । ରୁପା କିଲୋ ବର୍ତ୍ତମାନ, ୨,୧୧ ୭୨୯ ଟଙ୍କା ରହିଛି । ଏହାକୁ ହିସାବକୁ ନେଇ ରୁପା ମୂଲ୍ୟ ତାର ଶୀର୍ଷ ସ୍ଥାନରୁ ୨ ଲକ୍ଷରୁ ଅଧିକ ହ୍ରାସ ହୋଇଛି । ଜାନୁଆରୀ ୨୯ ତାରିଖରେ ଏହାର ସର୍ବୋଚ୍ଚ ସ୍ତର ୪ ଲକ୍ଷ ୨୦ ହଜାର ୪୮ ଟଙ୍କା ତୁଳନାରେ ରୂପା ମୂଲ୍ୟ ଏବେ ୨ ଲକ୍ଷ ୮ ହଜାର ୩୧୯ ଟଙ୍କାକୁ ହ୍ରାସ ପାଇଛି । ସେହିପରି ସୁନା ୮ ହଜାର ଟଙ୍କା ଶସ୍ତା ହୋଇଛି ।
ବିଶେଷଜ୍ଞଙ୍କ ମତରେ, ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଡଲାର ମହଙ୍ଗା ହେବାରେ ଲାଗିଛି। ଫଳରେ ନିବେଶକମାନେ ସୁନା ବଦଳରେ ଡଲାର ଉପରେ ଅଧିକ ଭରସା କରୁଛନ୍ତି। ସେହିପରି ଉଚ୍ଚ ସୁଧ ହାର ଯୋଗୁଁ ନିବେଶକମାନେ ସୁନାରୁ ନିଜର ପ୍ରଫିଟ୍ ବୁକ୍ କରି ମୁହଁ ଫେରାଉଥିବାରୁ, ସୁନା ଓ ରୁପା ଦରରେ ଏଭଳି ବଡ଼ ହ୍ରାସ ଦେଖିବାକୁ ମିଳିଛି।
ସେହିପରି ଆଜି ମାର୍କେଟ ଖୋଲୁଖୋଲୁ ସେନସେକ୍ସ ୧୬ଶହ ପଏଣ୍ଟ ହ୍ରାସ ପାଇଛି । ହର୍ମୁଜ ସଙ୍କଟ ଯୋଗୁଁ ଟଙ୍କାର ମୂଲ୍ୟ ମଧ୍ୟ ସର୍ବନିମ୍ନ ସ୍ତରକୁ ଖସିଛି । ଆଜି ସକାଳେ ସେନସେକ୍ସ ଖୋଲୁ ଖୋଲୁ ୧୪୫୨ ପଏଣ୍ଟ ହ୍ରାସ ପାଇଥିଲା । ପରେ ୧୬୦୦ ପଏଣ୍ଟ ହ୍ରାସ ପାଇଥିବା ସୂଚନା ମିଳିଛି। ଏସୀୟ ବଜାରରେ ମଧ୍ୟ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଜାପାନର Nikkei ୨୧୫ ୩.୩% ଏବଂ ଦକ୍ଷିଣ କୋରିଆର Kospi ୪.୬% ହ୍ରାସ ପାଇଛି।



