ଆଜି ଧରାବତରଣ କରିବେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀ
ଅନୁଗୁଳ: ଆଜି ପବିତ୍ର ଶରଦ ପୂର୍ଣ୍ଣିମାରେ ଧରାବତରଣ କରିବେ ଧନଧାନ୍ୟ ଓ ଐଶ୍ୱର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ ମା' ଗଜଲକ୍ଷ୍ମୀ । ଜଗତ୍ଜନନୀ ମା’ ଗଜଲକ୍ଷ୍ମୀଙ୍କ ଆବାହନରେ ଭକ୍ତିମୟ ହୋଇଉଠିଛି ସାରା ରାଜ୍ୟ । ବିଶେଷ କରି ପ୍ରସିଦ୍ଧ ଢେଙ୍କାନାଳ, ଚୌଦ୍ୱାର, କେନ୍ଦ୍ରାପଡ଼ା ଏବଂ ଅନ୍ୟାନ୍ୟ ସ୍ଥାନରେ ଉତ୍ସବର ମାହୋଲ ଖେଳିଯାଇଛି । ଆଲୋକ ତୋରଣ ଝଲସୁଛି ଅନୁଗୁଳ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା । ଚାନ୍ଦି ମେଢ଼ ସୁନା ମୁକୁଟ ସୁନା ହାରରେ ମା’ଝଲସୁଛନ୍ତି ମା' କମଳା ।
ଢେଙ୍କାନାଳ ଏବଂ କେନ୍ଦ୍ରାପଡ଼ାର ଲକ୍ଷ୍ମୀପୂଜା ବିଶ୍ୱପ୍ରସିଦ୍ଧ। ଚଳିତ ବର୍ଷ ଢେଙ୍କାନାଳରେ ପ୍ରାୟ ୪୧ ଟି ପୂଜା ମଣ୍ଡପରେ ମା’ଙ୍କ ଆରାଧନା କରାଯାଉଛି । ସେହିପରି କେନ୍ଦ୍ରାପଡ଼ା ସହରର ୬୮ଟି ମଣ୍ଡପ ସହ ସହର ଉପକଣ୍ଠର ଶତାଧିକ ମଣ୍ଡପରେ ଆରମ୍ଭ ହୋଇଛି ମା'ଙ୍କ ପୂଜାର୍ଚ୍ଚନା । ଏହା ସାଙ୍ଗକୁ ଅନୁଗୋଳ ସହରର ୨୯ଟି ମଣ୍ଡପରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା। ସୁଦୃଶ୍ୟ ତୋରଣ, ଆଖିଝଲସା ଆଲୋକମାଳା ଏବଂ ଭବ୍ୟ ମଣ୍ଡପରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ଶୋଭା ପାଉଛନ୍ତି । ସହରର ପୁରାତନ ଅମଲାପଡ଼ା ମଣ୍ଡପରେ ପାଳିତ ହେଉଛି ଐତିହାସିକ ୧୦୦ ବର୍ଷର ପୂଜା ପରମ୍ପରା । ୧୦ ଦିନ ଧରି ମା’ଙ୍କ ଭବ୍ୟ ଆୟୋଜନ କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।




