ପୁରୀରେ ହେବ ବିଶ୍ୱସ୍ତରୀୟ BRICS ସମ୍ମିଳନୀ
ଭୁବନେଶ୍ୱର : ଓଡ଼ିଶାରେ ପୁଣି ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଆସନ୍ତା ଜୁନ ୩ରୁ ପୁରୀରେ ହେବ BRICS ଦ୍ୱିତୀୟ ବୈଷୟିକ ସମ୍ମିଳନୀ। ଭାରତର BRICS ଅଧ୍ୟକ୍ଷତା ଅଧୀନରେ ଆୟୋଜିତ ହେବାକୁ ଥିବା “Disaster Risk Reduction Working Group” (DRRWG)ର ବୈଷୟିକ ସମ୍ମିଳନୀ ପୁରୀରେ ତାଜ୍ ପୁରୀ ରିସୋର୍ଟଠାରେ ଅନୁଷ୍ଠିତ ହେବ ।ଏହି ସମ୍ମିଳନୀରେ ଯୋଗ ଦେବେ BRICS ରାଷ୍ଟ୍ରସମୂହର ପ୍ରତିନିଧି ଓ ବିଶେଷଜ୍ଞ ।
ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ, ଚାଇନା, ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିପର୍ଯ୍ୟୟ ପରିଚାଳନାରେ ଅନ୍ତର୍ଜାତୀୟ ସହଯୋଗ ନେଇ ଆଲୋଚନା ହେବ ଜଣାପଡିଛି । ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ଚୟନ କରାଯାଇଥିବାର ପ୍ରଚ୍ଛଦରେ ରହିଛି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ରାଜ୍ୟର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ । ବିଶେଷକରି ବାତ୍ୟା ପରିଚାଳନା, ଗୋଷ୍ଠୀ-ଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ ନିମନ୍ତେ ଓଡିଶା ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହୋଇଆସିଛି ।




