ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି , ନୋ ଫ୍ଲାଇଂ ଜୋନ୍ ରେ ଉଡିଲା ଡ୍ରୋନ୍
ପୁରୀ : ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଉଠିଲା ପ୍ରଶ୍ନ ଇ ସୁରକ୍ଷା ବ୍ୟବସ୍ଥାରେ ବାରମ୍ବାର ତ୍ରୁଟି ଦେଖିବାକୁ ମିଳୁଛି । ନୋ ଫ୍ଲାଇଂ ଜୋନ୍ ରେ ଶ୍ରୀମନ୍ଦିର ଉପରେ ପୁଣି ଡ୍ରୋନ୍ ଉଡୁଥିବା ଦେଖା ଯାଇଛି । ଶ୍ରୀମନ୍ଦିରର ସିଂହଦ୍ୱାରଠୁ ନୀଳଚକ୍ର ଯାଏଁ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଛି l ଶ୍ରୀମନ୍ଦିର ଓ ଏହାର ଆଖପାଖ ସମ୍ପୂର୍ଣ୍ଣ ନୋ ଫ୍ଲାଇଂ ଜୋନ୍ ଡ୍ରୋନ୍ ଉଡାଇବା ସମ୍ପୂର୍ଣ ନିଷେଧ ହେଲେ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି l
ସୂଚନା ଅନୁସାରେ ଆଜି ସନ୍ଧ୍ଯା ସମୟରେ ଶ୍ରୀମନ୍ଦିରର ସିଂହଦ୍ବାର ଠାରୁ ନୀଳଚକ୍ର ଯାଏଁ ଡ୍ରୋନ୍ ଉଡ଼ିଥିବା ଭକ୍ତମାନେ ଦେଖିଛନ୍ତି। ଡ୍ରୋନ୍ ଉଡ଼ିବା ସମୟରେ ଭକ୍ତମାନେ ଏହା ଦେଖିବା ପରେ ସିଂହଦ୍ବାର ଥାନା ପୁଲିସକୁ ସୂଚନା ଦିଆଯାଇ ଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।କିଏ ଏବଂ କାହିଁକି ଡ୍ରୋନ୍ ଉଡାଇଲା ତା'କୁ ନେଇ ଉଠିଛି ପ୍ରଶ୍ନ ?
ଅନ୍ୟପକ୍ଷରେ ଶ୍ରୀମନ୍ଦିର ଭିତରକୁ ବେଧଡ଼କ ମୋବାଇଲ ନେଇ ଫଟୋ, ଭିଡ଼ିଓ ଉତ୍ତୋଳନ କରିବା ଘଟଣା ଥମିବାର ନାଁ ଧରୁନି । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଯୋଗୁ ଘଟଣାର ପୁନରାବୃତ୍ତି ବାରମ୍ବାର ଦେଖିବାକୁ ମିଳୁଛି। ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ବାରମ୍ବାର ଉଡିଛି ଡ୍ରୋନ୍ । ବାରମ୍ବାର ଏଭଳି ଡ୍ରୋନ ଉଡୁଥିବାବେଳେ ପୁଲିସ ନିରବ ଦ୍ରଷ୍ଟା ସାଜିବା ଓ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଘଟଣାକୁ ଶ୍ରଦ୍ଧାଳୁ ଓ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଡ୍ରୋନ ଉଡାଣ ଉପରେ ରୋକ୍ ଲଗାଇବାରେ କୌଣସି ସ୍ଵତନ୍ତ୍ର ପଦକ୍ଷେପ ପୋଲିସ ପକ୍ଷରୁ ନିଆଯାଉନାହିଁ । ଶତାଧିକ ସୁରକ୍ଷାକର୍ମୀଙ୍କ ଗହଣରେ ଶ୍ରୀମନ୍ଦିର କେତେ ସୁରକ୍ଷିତ, ତାହା ଜଗନ୍ନାଥ ପ୍ରେମୀ ପ୍ରଶ୍ନ କରିଛନ୍ତି।




