ଦେବ୍ରିଗଡ ଅଭୟାରଣ୍ୟରେ ମହାବଳ ବାଘ ଠାବ
ବରଗଡ଼ : ଓଡ଼ିଶାର ପ୍ରସିଦ୍ଧ ଦେବ୍ରିଗଡ଼ ଅଭୟାରଣ୍ୟରେ ପୁଣି ମହାବଳ ବାଘ ଠାବ ହୋଇଛି ଇ ରୟାଲ ବେଙ୍ଗଲ ଟାଇଗର (RBT)ର ଉପସ୍ଥିତି ଥିବା ନେଇ ଅଭୟାରଣ୍ୟ ଭିତରେ ଲଗାଯାଇଥିବା ରିମୋଟ୍ କ୍ୟାମେରା ଟ୍ରାପ୍ (Remote Camera Trap) ରେ ଚିତ୍ର କଏଦ ହୋଇଛି । ଏହା ସହିତ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବନ ବିଭାଗର କର୍ମଚାରୀମାନେ ମଧ୍ୟ ବାଘଟିକୁ ପ୍ରତ୍ୟକ୍ଷ ଭାବେ ଦେଖିବାକୁ ପାଇଛନ୍ତି । ଏହା ଜଣାପଡିବା ପରେ ଅଭୟାରଣ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛି ବନ ବିଭାଗ ।
ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଡିଏଫ୍ଓ ଅଂଶୁପ୍ରଜ୍ଞା ଦାଶଙ୍କ ସୂଚନା ଅନୁଯାୟୀ, ବାଘଟି ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଦେଚୁଆନ୍-ଲଖନପୁର ଜଙ୍ଗଲ କରିଡର ଦେଇ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଛି ।
ସୂଚନା ଅନୁସାରେ, ଗତ ୪ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦେବ୍ରିଗଡ଼ରେ ବାଘର ଉପସ୍ଥିତି ଜଣାପଡ଼ିଛି । ଦେଚୁଆନ-ଲଖନପୁର ଜଙ୍ଗଲ କରିଡର ଦେଇ ବାଘଟି ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି । ତେବେ ବାଘଟି କେଉଁ ଅଞ୍ଚଳରୁ ଆସିଛି ଏବଂ ଏହାର ପ୍ରକୃତ ପରିଚୟ କ'ଣ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ବାଘର ଉତ୍ପତ୍ତି, ବୟସ ଓ ପରିଚୟ ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ତଥ୍ୟ ସଂଗ୍ରହ ଜାରି ରହିଛି । କ୍ୟାମେରାରେ କଏଦ ହୋଇଥିବା ଫଟୋଗୁଡ଼ିକୁ ଜାତୀୟ ବାଘ ସଂରକ୍ଷଣ ପ୍ରାଧିକରଣ (NTCA) ଏବଂ ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (WII)ର ବିଶେଷଜ୍ଞଙ୍କ ନିକଟକୁ ପଠାଯିବ। ବିଶେଷଜ୍ଞଙ୍କ ଯାଞ୍ଚ ପରେ ବାଘ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ।
ବାଘର ଗତିବିଧି ଉପରେ ନଜର ରଖିବାକୁ ସମଗ୍ର ଅଭୟାରଣ୍ୟରେ ୧୦୦ଟି କ୍ୟାମେରା ଟ୍ରାପ୍ ଲଗାଯାଇଛି । ଏଥିସହ ଦୈନିକ ପାଟ୍ରୋଲିଂ ପାଇଁ ୨୭ଟି ଟିମ୍କୁ ନିୟୋଜିତ କରାଯାଇଛି। ଅଭୟାରଣ୍ୟର ସୀମା ଏବଂ ଜଙ୍ଗଲ ଭିତର ରାସ୍ତାଗୁଡ଼ିକରେ ଏହି ଟିମ୍ଗୁଡ଼ିକ ନିୟମିତ ନଜର ରଖୁଛନ୍ତି।ଅନ୍ୟପଟେ, ରାତି ସମୟରେ ବାଘର ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରାଥମିକ ଅନୁମାନ ଅନୁଯାୟୀ ଏହି ବାଘଟି ମଧ୍ୟପ୍ରଦେଶ କିମ୍ବା ଛତିଶଗଡ଼ ଜଙ୍ଗଲରୁ ଆସିଥାଇପାରେ। ତେବେ ବାଘଟି ଅଣ୍ଡିରା ନା ମାଈ, ଏହାର ବୟସ କେତେ ଏବଂ ଏହାର ପ୍ରକୃତ ଉତ୍ସ କେଉଁଠି, ତାହା କ୍ୟାମେରା ଚିତ୍ରଗୁଡ଼ିକର ଯାଞ୍ଚ ପରେ ସ୍ପଷ୍ଟ ହେବ ।




