ଘୁଞ୍ଚିବନି ଓସିଏସ ପରୀକ୍ଷା - ରାଜସ୍ବମନ୍ତ୍ରୀ

ବନ୍ୟା ପ୍ରଭାବିତ ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେବେ ସରକାର

ଘୁଞ୍ଚିବନି ଓସିଏସ ପରୀକ୍ଷା - ରାଜସ୍ବମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରିସ୍ଥିତି ସତ୍ତ୍ୱେ ଓଡ଼ିଶା ସିଭିଲ ସର୍ଭିସେସ (OCS) ମୁଖ୍ୟ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ ଏବଂ ଏହାକୁ ଘୁଞ୍ଚାଯିବ ନାହିଁ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସ୍ପଷ୍ଟ କରିଛନ୍ତି । ପରୀକ୍ଷା ଘୁଞ୍ଚାଇଲେ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ପ୍ରାୟ ୬ ମାସ ବିଳମ୍ବ ହୋଇଯିବ, ତେଣୁ ସରକାର ଏହାକୁ ସମୟାନୁସାରେ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଭାବିତ ଅଞ୍ଚଳରୁ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସେମାନେ ପରୀକ୍ଷାର୍ଥୀଙ୍କୁ ନେଇ ପରୀକ୍ଷା କେନ୍ଦ୍ର ରେ ପହଞ୍ଚିବେ ।

ସୂଚନାନୁସାରେ, ଆସନ୍ତା କାଲି ଠାରୁ ନଭେମ୍ବର ୭ ଯାଏ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (ଓସିଏସ) ମୁଖ୍ୟ ପରୀକ୍ଷା ରହିଛି। ଆଶାୟୀ ପରୀକ୍ଷାର୍ଥୀମାନେ ବର୍ତ୍ତମାନର ବାତ୍ୟାଜନିତ ସ୍ଥିତି ଏବଂ ଏହା ଦ୍ଵାରା ବିଭିନ୍ନ ଜିଲ୍ଲାରେ ଜନଜୀବନ ଗମ୍ଭୀର ଭାବେ ପ୍ରଭାବିତ ହୋଇଥିବା ଦୃଷ୍ଟିରୁ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ତଥା ଓପିଏସସି କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ।

ମନ୍ତ୍ରୀ କହିଛନ୍ତି, ଗଞ୍ଜାମ ଜିଲ୍ଲାର ପ୍ରାୟ ୩୨୫ ଜଣ ଏବଂ ଅନ୍ୟ ପ୍ରଭାବିତ ଅଞ୍ଚଳର ପ୍ରାୟ ୧୦୦ ଜଣ ପରୀକ୍ଷାର୍ଥୀଙ୍କ ଯାତାୟାତ ଦାୟିତ୍ୱ ସରକାର ନେବେ । ସେମାନଙ୍କୁ ସୁରକ୍ଷିତ ଭାବେ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ସମ୍ପୃକ୍ତ ବିଡିଓମାନଙ୍କୁ ଦାୟିତ୍ୱ ଦିଆଯାଇଛି । ତେଣୁ ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀମାନେ ନିଜ ନିଜ ବ୍ଲକର ବିଡିଓଙ୍କ ସହ ଯୋଗାଯୋଗ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଅନ୍ୟପକ୍ଷରେ କୋରାପୁଟ, ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାର କେତେକ ଅଞ୍ଚଳରେ ଭୂସ୍ଖଳନ ସହ ବିଭିନ୍ନ ସମସ୍ୟା ଦେଖାଦେଇଛି। ବାତ୍ୟା ଯୋଗୁଁ ପ୍ରାୟ ୫୬ଟି ଟ୍ରେନ୍ ବାତିଲ ହୋଇଥିବାବେଳେ ସରକାରୀ ଓ ବେସରକାରୀ ପରିବହନ ସେବା ମଧ୍ୟ ବ୍ୟାହତ ହୋଇଛି । ଫଳରେ ଦୀର୍ଘଦିନ ଧରି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିବା ଅନେକ ଆଶାୟୀ ନିଜ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ନେଇ ଆଶଙ୍କାରେ ଅଛନ୍ତି ।

Tags: