ଆହାର କେନ୍ଦ୍ରକୁ ଗ୍ୟାସ୍‌ ଯୋଗାଣ ଜାରି ରହିବ

ଲଜିଷ୍ଟିକ୍ସ ବ୍ୟବସ୍ଥା ସୁଦୃଢ଼ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଆହାର କେନ୍ଦ୍ରକୁ ଗ୍ୟାସ୍‌ ଯୋଗାଣ ଜାରି ରହିବ
Samaya Live News Picture
Published On

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତିର ପ୍ରଭାବରେ ଦେଶରେ ରନ୍ଧନ ଗ୍ୟାସ ଅଭାବ ଗଭୀର ହେଉଛି। ଏହାସହିତ ଗ୍ୟାସ ଦର ବୃଦ୍ଧି ପାଇଁ ସାଧାରଣ ଲୋକଙ୍କ ପାଇଁ ରୋଷେଇ କରିବା ଏକ ଚ୍ୟାଲେଞ୍ଜ ହୋଇପଡ଼ିଛି । ଏଭଳି ପରିସ୍ଥିତିରେ ଭୋକିଲାଙ୍କ ଭରସା ପାଲଟିଛି ସରକାରୀ ‘ଆହାର କେନ୍ଦ୍ର’। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ସ୍ପଷ୍ଟୀକରଣ ଦେଇଛନ୍ତି । କୌଣସି ଆହାରକେନ୍ଦ୍ର ଗ୍ୟାସ୍‌ ଯୋଗୁଁ ବନ୍ଦ ହେବନାହିଁ ବୋଲି ଆଶ୍ବସନା ଦେଇଛନ୍ତି ସରକାର।

ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ‘ଆହାର’ ଯୋଜନାକୁ ନିରନ୍ତର ଓ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ସାରା ଓଡ଼ିଶାରେ ଥିବା ଆହାର ରୋଷେଇ ଶାଳଗୁଡ଼ିକ ପାଇଁ ରନ୍ଧନ ଗ୍ୟାସ ଯୋଗାଣକୁ ସରଳୀକୃତ ଏବଂ ସୁରକ୍ଷିତ କରିବାକୁ ବିଭାଗ ପକ୍ଷରୁ ବ୍ୟାପକ ନିର୍ଦ୍ଦେଶନାମା ଜାରି କରାଯାଇଛି । 

ସେହି ଅନୁସାରେ ଆହାର କେନ୍ଦ୍ରକୁ ଗ୍ୟାସ୍‌ ଯୋଗାଣରେ ହେବନି ଅସୁବିଧା । ଗ୍ୟାସ ସଙ୍କଟ ମଧ୍ୟରେ ରାଜ୍ୟରେ ଥିବା ୯୦ଟି କେନ୍ଦ୍ରୀୟ ରୋଷେଇଶାଳ ସହାୟତାରେ ଚାଲୁଥିବା ୧୭୦ଟି ଆହାରକେନ୍ଦ୍ର ଚାଲିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ସରକାର। ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର ଏବଂ ଜିଲ୍ଲା ଓ ସିଟି ଆହାର ସୋସାଇଟିର ସଭାପତିମାନଙ୍କୁ ପତ୍ର ଲେଖି ଏହି ଯୋଜନାର ଲଜିଷ୍ଟିକ୍ସ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାକୁ ଗୁରୁତ୍ୱାରୋପ କରିଛନ୍ତି। ଆହାର ସେବା ପ୍ରଦାନରେ ଯେପରି କୌଣସି ଅନ୍ତରାୟ ସୃଷ୍ଟି ନହୁଏ, ସେଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଗ୍ୟାସ ଯୋଗାଣକାରୀ ଓ ବିତରକଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

Tags: