ଗଞ୍ଜାମ ସଡକ ଦୁର୍ଘଟଣା,ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ ଏବଂ ରାସ୍ତା ନିରାପତ୍ତା କମିଟି
ଗଞ୍ଜାମ : ବ୍ରହ୍ମପୁର ଗୋସାଇଁ ନୂଆଗାଁ-ହଳଦିଆପଦର ମର୍ମନ୍ତୁଦ ବାଇକ ଦୁର୍ଘଟଣା । ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ ଏବଂ ରାସ୍ତା ନିରାପତ୍ତା କମିଟି । ମାର୍ଚ୍ଚ ୫ ତାରିଖ ଭିତରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କମିଟି ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବେପରୁଆ ଗାଡି ଚାଳନା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣାକୁ ସୁପ୍ରିମକୋର୍ଟ କମିଟି ଗୁରୁତର ସହ ନେଇଛନ୍ତି । ଭବିଷ୍ୟତରେ ଏଭଳି ଦୁର୍ଘଟଣାର ଯେପରି ପୁନଃରାବୃତ୍ତି ନହୁଏ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ କମିଟି ପକ୍ଷରୁ ପରାମର୍ଶ ଦିଆଯାଇଛି । ଟ୍ରାଫିକ ନିୟମର କଡାକଡି ପାଳନ ନହେବା ଏବଂ ଭୁଲ ରାସ୍ତାରେ ଗାଡିଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟୁଥିବା କମିଟି ଦର୍ଶାଇବା ସହ ଏହା ଉପରେ ପଦକ୍ଷେପ ନେବାକୁ କୁହାଯାଇଛି ।
ସୂଚନାନୁସାରେ, ଜାନୁଆରୀ ୩୧ ତାରିଖ ଅପରାହ୍ନ ସାଢେ ୧ଟା ବେଳେ ବ୍ରହ୍ମପୁର ସହରରୁ ଜାତୀୟ ରାଜପଥ-୧୬ ରେଳ ଓଭରବ୍ରିଜ ରେ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା I ଭାରସାମ୍ୟ ହରାଇ ଏକ ଟ୍ରକ ଅନ୍ୟ ଏକ ଟ୍ରକ କୁ ଓଭରଟେକ କରୁଥିବାବେଳେ ସାପ୍ତାହିକ ହାଟସାରି ସେହି ରାସ୍ତାରେ ଫେରୁଥିବା ୩ ବାଇକ ଆରୋହୀଙ୍କୁ ସାମ୍ନାପଟୁ ଜୋରଦାର ଧକ୍କା ଦେଇଥିଲା । ଫଳରେ ଟ୍ରକ ଧକ୍କାରେ ୩ ବାଇକରେ ବସିଥିବା ୫ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ରାସ୍ତାରେ ସାରା ବିଛାଡ଼ି ହୋଇ ପଡିଥିଲା ମୃତକଙ୍କ ଜିନିଷ ପତ୍ର ସହ ସେମାନଙ୍କ ମୃତଦେହ । ଏହା ଦେଖି ସ୍ଥାନୀୟ ଲୋକେ ମଧ୍ୟ ସ୍ତବ୍ଧ ହୋଇଯାଇଥିଲେ । ଟ୍ରକ ଚାଳକଙ୍କ ବେପାରୁଆ ଗାଡି ଚାଳନା ଯୋଗୁ ବିନା କାରଣରେ ୫ଟି ନିରୀହ ଜୀବନ ଚାଲି ଯାଇଥିଲା । ପୁଲିସ ଟ୍ରକ ଚାକଳଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲା ।



