ଏଣିକି ଓଡ଼ିଆରେ ହେବ ସମସ୍ତ ସରକାରୀ କାର୍ଯ୍ୟ
ଭୁବନେଶ୍ୱର : ଏଣିକି ଓଡ଼ିଆରେ ହେବ ସମସ୍ତ ସରକାରୀ କାର୍ଯ୍ୟ । ସରକାରଙ୍କ ବାରମ୍ବାର ତାଗିଦ ପରେ ମଧ୍ୟ ବିଭିନ୍ନ ବିଭାଗ ଇଂରାଜୀରେ ଚିଠି କରୁଥିଲେ । ସରକାରଙ୍କ ନିଷ୍ପତ୍ତିକୁ ମାନୁନଥିଲେ। ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନେଇ ଅନୁଷ୍ଠିତ ନିର୍ମାଣ ବିଭାଗର ସମୀକ୍ଷା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଥିସହ ନାମ ଫଳକ ମଧ୍ୟ ଓଡିଆରେ ଲେଖା ହେବ। ଚିଠିପତ୍ର, ସରକାରୀ ନିର୍ଦ୍ଦେଶନାମା ଆଦି ଓଡ଼ିଆରେ କରିବା ପାଇଁ ନିର୍ମାଣ ବିଭାଗର ପ୍ରମୁଖ ସଚିବ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ନିର୍ମାଣ ବିଭାଗର ଏହି ସମୀକ୍ଷା ବୈଠକରେ ଖାଲିଥିବା ପଦ ପୂରଣ ଏବଂ ପଦୋନ୍ନତି ଅପେକ୍ଷାରେ ଥିବା ଯୋଗ୍ୟ ଅଧିକାରୀଙ୍କୁ ତୁରନ୍ତ ପଦୋନ୍ନତି ପାଇଁ ଗୁରୁତ୍ବ ଦିଆଯାଇଛି । ସମୟ ଅବଧି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ନେଇ ଆଲୋଚନା ହୋଇଥିବା ବେଳେ ଅନ୍ଲାଇନ୍ ମାଧ୍ୟମରେ ସରକାରୀ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଓଡିଆ ଅସ୍ମିତାର ନାରା ଦେଇ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଉଭୟ ସରକାରୀ ଓ ବେସରକାରୀ ନାମ ଫଳକରେ କିଛିଟା ପରିବର୍ତ୍ତନ ଘଟିଛି ।



