କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ମାଗଣା ଇଣ୍ଟରନେଟ ସୁବିଧା
ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ୬୦୧ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ମାଗଣାରେ ୧ ଜିବି ଡାଟା ଉପଲବ୍ଧ ହେବ । ପ୍ରତି ଛାତ୍ରଛାତ୍ରୀ କଲେଜ କ୍ୟାମ୍ପସରେ ଏହି ୧ ଜିବି ଡାଟା ବ୍ୟବହାରର ସୁଯୋଗ ପାଇବେ । ଶୈକ୍ଷିକ, ଗବେଷଣା ଏବଂ ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇଦେବାକୁ ଯାଉଚନ୍ତି । ଏହି ଯୋଜନାରେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଛତ୍ରଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକା ଉପକୃତ ହେବେ । ଓଡ଼ିଶା ଶିକ୍ଷାନେଟ୍ ଯୋଜନାରେ ରାଜ୍ୟ ସରକାର ଏଥିପାଇଁ ମୋଟ ୩୯୩.୬୨ କୋଟି ଟଙ୍କା ବ୍ୟୟ ଅଟକଳ ରଖିଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୪୯ତମ ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ୧୦ ବିଭାଗର ମୋଟ ୧୩ ପ୍ରସ୍ତାବ ଉପରେ ମୋହର ବାଜିଥିଲା । ଏଥିମଧ୍ୟରେ ଚଳିତ ଖରିଫ ଋତୁରେ ଚାଷୀମାନଙ୍କଠାର ୭୮ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ, ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ନିମନ୍ତେ ପ୍ରୟାସ ସଖ୍ୟା ଉପରେ ଥିବା ସମସ୍ତ ସୀମା ଉଚ୍ଛେଦ, ପିଓଓ ନିଯୁକ୍ତି ନିମନ୍ତେ ସର୍ବନିମ୍ନ ଯୋଗ୍ୟତା ସୀମା ଯୁକ୍ତ ୩ ବା ତତୁର୍ଦ୍ଧ୍ୱ, ଓଡ଼ିଶା ଗୋ ପ୍ରଜନନ ନିୟନ୍ତ୍ରଣ କର୍ତ୍ତୃପକ୍ଷ ଗଠନ ଆଦି ଅନ୍ୟତମ ।




