ରାଜ୍ୟର ୨୪ଟି ଜିଲ୍ଲାର ୭୦୭ଟି ଦୁର୍ଗମ ସ୍ଥାନରେ ବସିବ 4G ମୋବାଇଲ ଟାୱାର
ଭୁବନେଶ୍ୱର : ରାଜ୍ୟର ଦୁର୍ଗମ ପହଞ୍ଚିବ 4G ସେବା । ଆଦିବାସୀ ଓ ଟେଲିକମ୍ ସେବାରୁ ବଞ୍ଚିତ ଅଞ୍ଚଳଗୁଡ଼ିକରେ ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଡିଜିଟାଲ ଭାରତ ନିଧି (ଡିବିଏନ୍) ଅନୁଦାନପ୍ରାପ୍ତ ୪ଜି ସାଚୁରେସନ ପ୍ରକଳ୍ପ ଅଧୀନରେ ରାଜ୍ୟର ୨୪ଟି ଜିଲ୍ଲାର ୭୦୭ଟି ନୂଆ ସ୍ଥାନରେ ମୋବାଇଲ ଟାୱାର ସ୍ଥାପନ ପାଇଁ ଆବଶ୍ୟକ ରହିଛି । ଏଥିପାଇଁ ସରକାରୀ ଜମି ଶୀଘ୍ର ଉପଲବ୍ଧ କରାଇବାକୁ ଜିଲ୍ଲାପାଳମାନଙ୍କୁ ଜରୁରୀ ଭିତ୍ତିରେ ନିର୍ଦ୍ଦେଶ ଦିଆଯାଇଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି । ପ୍ରତ୍ୟେକ ସ୍ଥାନରେ ପ୍ରାୟ ୨,୦୦୦ ବର୍ଗଫୁଟ ସରକାରୀ ଜମିର ଅଗ୍ରୀମ ଦଖଲ ବିଏସଏନଏଲକୁ ଦେବା ସହ ‘ନୋ ଅବଜେକ୍ସନ ସର୍ଟିଫିକେଟ୍’ (NOC) ଜାରି କରିବାକୁ କୁହାଯାଇଛି । ଏହାଦ୍ୱାରା ଟାୱାର ସ୍ଥାପନ କାର୍ଯ୍ୟ ତୁରନ୍ତ ଆରମ୍ଭ ହୋଇପାରିବ। ଏହି ପଦକ୍ଷେପର ପଛରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ହସ୍ତକ୍ଷେପ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଥିବା ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ଦୁର୍ଗମ ଓ ସେବାବଞ୍ଚିତ ଅଞ୍ଚଳରେ ମୋବାଇଲ ସଂଯୋଗ ବିସ୍ତାର ପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରୟାସ ଚଳାଇଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ୩,୬୦୨ଟି ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ ହୋଇଥିବାବେଳେ ଆଉ ୬୮୩ଟି ଟାୱାରର ନିର୍ମାଣ କାମ ଚାଲିଛି । ବର୍ତ୍ତମାନ ୮୯୪ଟି ନୂଆ ସ୍ଥାନ ପାଇଁ ମଞ୍ଜୁରି ମିଳିଥିବା ବେଳେ ୭୦୭ଟି ସ୍ଥାନରେ ଜମି ବଣ୍ଟନ ଅପେକ୍ଷାରେ ରହିଛି। ପ୍ରକଳ୍ପର ତାଲିକାରେ ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ପରି ଆଦିବାସୀ ଓ ପାହାଡ଼ିଆ ଜିଲ୍ଲାଗୁଡ଼ିକ ସର୍ବାଧିକ ପ୍ରାଧାନ୍ୟ ପାଇଛି।




