ପୂର୍ବତନ ବିଧାୟକଙ୍କ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ
ପତ୍ନୀ ହତ୍ୟା ମାମଲାରେ ୨୮ ବର୍ଷ ପରେ ହୋଇଥିଲା ଜେଲ ଦଣ୍ଡାଦେଶ
ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ । ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ପତ୍ନୀ ହତ୍ୟା ମାମଲାରେ ଭୁବନେଶ୍ବର ସ୍ଵତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ସେ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡିତ ଥିଲେ। ଦେହ ଅସୁସ୍ଥ ଥିବାରୁ ଦୁଇ ଦିନ ହେବ ଏମ୍ସକୁ ଚିକିତ୍ସା ପାଇଁ ତାଙ୍କୁ ଅଣାଯାଇଥିଲା । ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଭୋର ୩ ଟା ସମୟରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।
ରାମମୂର୍ତ୍ତି ଗମାଙ୍ଗୋ ୧୯୯୦ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ଥରେ ଓ ୨୦୦୦ ମସିହାରୁ ୨୦୦୫ ମସିହା ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟ ସମୟରେ ବିଜେପିରୁ ଥରେ ବିଧାୟକ ହୋଇଥିଲେ।
ସୂଚନାନୁସାରେ, ୧୯୯୫ ମସିହା ଅଗଷ୍ଟ ୨୯ ତାରିଖରେ ରାମ ମୂର୍ତ୍ତି ଗମାଙ୍ଗଙ୍କ ପତ୍ନୀ ଶଶୀରେଖା ଗମାଙ୍ଗଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଭୁବନେଶ୍ୱର ଏମଏଲଏ କଲୋନୀ ସ୍ଥିତ କ୍ୱାର୍ଟର ବାଥରୁମ୍ ଭିତରୁ ଉଦ୍ଧାର କରାଯାଇଥିଲା। ସେହି ସମୟରେ ଶଶୀରେଖା ଗର୍ଭବତୀ ଥିଲେ। ତେବେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ରାମମୂର୍ତି ଗମାଙ୍ଗ କହିଥିଲେ। କିନ୍ତୁ ରାଜନୈତିକ ଶତ୍ରୁତା ଯୋଗୁଁ ତାଙ୍କୁ ଏଥିରେ ଫସାଯାଉଛି । ପ୍ରଥମେ ଏହାକୁ ଅପମୃତ୍ୟୁ ବୋଲି ଖାରବେଳ ନଗର ପୋଲିସ ପକ୍ଷରୁ ମାମଲା ପଞ୍ଜିକୃତ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତଦନ୍ତ ପରେ ଏହାକୁ ହତ୍ୟା ମାମଲାରେ (IPC ଧାରା ୩୦୨ ଏବଂ ୨୦୧) ପରିବର୍ତ୍ତିତ କରାଯାଇ ତାଙ୍କୁ ଆଜୀବନ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ଅନାଦେୟ ଆଉ ୧ ବର୍ଷ ସଶ୍ରମ କାରାଦଣ୍ଡର ନିର୍ଦ୍ଦେଶ ଦେଇଥିଲେ । ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ରାମ ମୂର୍ତ୍ତି ଗମାଙ୍ଗ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୩୦ ଅକ୍ଟୋବର ୨୦୨୪ରେ ଓଡ଼ିଶା ହାଇକୋର୍ଟ ରାମ ମୂର୍ତ୍ତିଙ୍କ ଆବେଦନକୁ ଖାରଜ କରିବା ସହ ନିମ୍ନ ଅଦାଲତଙ୍କ ଆଜୀବନ କାରାଦଣ୍ଡାଦେଶକୁ କାଏମ ରଖିଥିଲେ। ତାଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।



