ପୂର୍ବତନ ବିଧାୟକ ଆୟୁବ ଖାଁଙ୍କ ପରଲୋକ

ପୂର୍ବତନ ବିଧାୟକ ଆୟୁବ ଖାଁଙ୍କ ପରଲୋକ
Samaya Live News Picture
Published On

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଦେହାନ୍ତ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । କଣ୍ଟାବାଞ୍ଜି ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି । ଏନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି । ଅନେକ ଦିନ ଧରି ସେ ଅସୁସ୍ଥ ଥିଲେ । ଆୟୁବ ଖାନ କାଉନସିଲର ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ ସେ କଣ୍ଟାବାଞ୍ଜି ଏନଏସି ଚେୟାରମ୍ୟାନ ଭାବେ କାର୍ଯ୍ୟ କରିଥିଲେ। ୨୦୦୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ଲଢ଼ି ୨୦୧୪ରେ ପୁଣିଥରେ ବିଧାୟକ ଭାବେ ବିଜୟୀ ହୋଇଥିଲେ।। ତାଙ୍କ ବିୟୋଗରେ କଣ୍ଟାବାଞ୍ଜିରେ ଶୋକର ଛାୟା ଖେଳିଛି ।

ଆୟୁବଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, “ବିଜୁ ଜନତା ଦଳର ବରିଷ୍ଠ ସଙ୍ଗଠକ ତଥା କଣ୍ଟାବାଞ୍ଝିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗରେ ଦଳ ଜଣେ ଦକ୍ଷ ସଙ୍ଗଠକ ଏବଂ ଦରଦୀ ନେତାଙ୍କୁ ହରାଇଲା । ଅଞ୍ଚଳର ଉନ୍ନତି ଓ ଲୋକଙ୍କ ସେବାରେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ତାଙ୍କୁ ଅମର କରି ରଖିବ। ଏପରି ଦୁଃଖଦ ସମୟରେ ତାଙ୍କ ପୁଅ ଡ. ଅମଜାଦ ଅଲ୍ଲୀ ଖାନଙ୍କ ସହିତ କଥା ହୋଇ ସମସ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ସହ ଅମର ଆତ୍ମାର ସଦଗତି କାମନା କଲି।”

 
Tags: