କୋରେଇ ର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ

କୋରେଇ ର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ
Samaya Live News Picture
Published On

ଭଦ୍ରକ : କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ । ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ଅନେକ ଦିନ ଧରି ଅସୁସ୍ଥ ରହି ଏମ୍ସ ରେ ଚିକିତ୍ସିତ ହେଉଥିଲେ । ୨୦୦୪ ରୁ ୨୦୦୯ ଯାଏଁ  ବିଜେପି ଦଳରୁ ନିର୍ବାଚିତ ହୋଇ କୋରେଇର ବିଧାୟିକା ଥିଲେ ସଞ୍ଚିତା ମହାନ୍ତି ।

ସଞ୍ଜିତା ମହାନ୍ତି ୧୯୫୮ ମସିହାର ସେପ୍ଟେମ୍ବର ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ସହିତ ଓଡ଼ିଶୀ ନୃତ୍ୟରେ ମଧ୍ୟ ସ୍ନାତକତ୍ତୋର କରିଥିଲେ । ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଇନ ପଢ଼ି ସେ ଜଣେ ଓକିଲ ଭାବରେ କାର୍ଯ୍ୟ କରୁଥିଲେ । ସଞ୍ଚିତା ମହାନ୍ତି ଭାରତୀୟ ଜନତା ପାର୍ଟି ରାଜନୈତିକ ଦଳର ଜଣେ କର୍ମୀ ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ରହି  ଜନତା ପାର୍ଟିରୁ ନିର୍ବାଚନ ଲଢ଼ି କୋରେଇ ବିଧାୟିକା ଭାବରେ ୨୦୦୪ ମସିହାରେ ଓଡ଼ିଶା ବିଧାନସଭାକୁ  ନିର୍ବାଚିତ ହୋଇଆସିଥିଲେ  ।  

ତାଙ୍କ ବିୟୋଗରେ ଯାଜପୁର ଜିଲ୍ଲା ତଥା କୋରେଇ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳି ଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ମନମୋହନ ସାମଲ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି - ଶ୍ରୀମତୀ ମହାନ୍ତି କେବଳ ଜଣେ ଦକ୍ଷ ରାଜନେତ୍ରୀ ନୁହଁନ୍ତି, ବରଂ ଜନସେବା ଓ ସାଂଗଠନିକ କାର୍ଯ୍ୟରେ ସମର୍ପିତ ଜଣେ କର୍ମଠ ନେତ୍ରୀ ଥିଲେ। କୋରେଇ ଅଞ୍ଚଳର ବିକାଶ ଏବଂ ଜନକଲ୍ୟାଣ ପାଇଁ ସେ ନିରନ୍ତର ପରିଶ୍ରମ କରିଥିଲେ ଏବଂ ସାଧାରଣ ଜନତାଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଥିଲେ। ଏହି ଶୋକାବହ ମୁହୂର୍ତ୍ତରେ ମୁଁ ବ୍ୟକ୍ତିଗତ ଭାବେ ଏବଂ ଭାଜପା ଓଡିଶା ପରିବାର ତରଫରୁ ତାଙ୍କ ପରିବାରବର୍ଗ, ଆତ୍ମୀୟସ୍ୱଜନ ଏବଂ ଅନୁଗାମୀମାନଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ପ୍ରଭୁ ଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ସଦଗତି ପ୍ରାର୍ଥନା କରିଛନ୍ତି।

ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପିର ବହୁ ନେତା ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଆଉ କିଛି ସମୟ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ମରଶରୀର ନିଆଯିବ, ସେଠାରେ ବିଧାନସଭାକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଦିଆଯିବ । ଏହାପରେ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ହେବ ବୋଲି ସୂଚନା ମିଳିଛି ।

Tags: