କଂଗ୍ରେସ ଛାଡିଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି
ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି। ପିସିସି ସଭାପତିଙ୍କ ନିକଟକୁ ସେ ଆଜି ଇସ୍ତଫା ପତ୍ର ପଠାଇଛନ୍ତି। ତାଙ୍କର କଂଗ୍ରେସ ଛାଡିବା ଓଡ଼ିଶା ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ବିବେଚନା କରାଯାଉଛି। ଦଳକୁ ସମୟ ଦେଇ ପାରୁନଥିବାରୁ ଇସ୍ତଫା ଦେଇଥିବା ସେ କହିଛନ୍ତି । ସେ କୋରାପୁଟ ଜିଲ୍ଲାର ଜଣେ ପ୍ରଭାବଶାଳୀ ନେତା ତଥା ପୂର୍ବତନ ମନ୍ତ୍ରୀ ଓ ସାଂସଦ ରହିଥିଲେ ।
ଜୟରାମ ପାଙ୍ଗି ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପଡୋଶୀ ଆନ୍ଧ୍ର ଓ ଛତିଶଗଡର ଆଦିବାସୀ ଅଧ୍ୟୁଷିତ କିଛି ଅଞ୍ଚଳକୁ ନେଇ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବାକୁ ଜୟରାମ ପାଙ୍ଗୀ ଦୀର୍ଘ ଦିନ ହେବ ପ୍ରୟାସ କରିଆସୁଛନ୍ତି । ଦଣ୍ଡକାରଣ୍ୟ ପର୍ବତାଞ୍ଚଳ ବିକାଶ ପରିଷଦ ଗଠନ କରି ନେତୃତ୍ବ ନେଉଛନ୍ତି ଜୟରାମ।
୨୦୧୭ ମସିହାରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ଜୟରାମ ପାଙ୍ଗି । ୨୦୨୨ ମସିହାରେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ସେ ୪ ଥର ପଟାଙ୍ଗୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ୨୦୦୯ ମସିହାରେ କୋରାପୁଟରୁ ଗିରିଧର ଗମାଙ୍ଗଙ୍କୁ ପରାଜିତ କରି ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର।



