ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ଦେହାନ୍ତ
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୮୬ବର୍ଷ ବୟସ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୫ ଘଣ୍ଟା ସମୟରେ ତାଙ୍କର ଦେହାନ୍ତ ଘଟିଛି । ଦୁଇ ଦିନ ପୂର୍ବରୁ ଡମ୍ବରୁଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ନବରଂଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କର ଦେହାନ୍ତ ନେଇ ତାଙ୍କର ପରିବାର ପକ୍ଷରୁ ସୂଚନା ମିଳିଛି ।
ଡମ୍ବରୁ ମାଝୀ ଭାରତୀୟ ଜାତୀୟ କଂଗ୍ରେସ ଏବଂ ବିଜୁ ଜନତା ଦଳ ଓ ବିଜେପି ସହିତ ଜଡ଼ିତ ଥିଲେ। ତୃଣମୂଳ ସ୍ତରରେ ସେ ଭଲ ସଂଗଠନ କରିଥିଲେ । ଆଦିବାସୀମାନଙ୍କର ସ୍ବରକୁ ବିଧାନସଭାରେ ଉପସ୍ଥାପନ କରି ପାରିଥିଲେ । ୧୯୬୭ରୁ ୧୯୯୦ ମଧ୍ୟରେ ଶ୍ରୀ ମାଝୀ ବିଭିନ୍ନ ବିଭାଗରେ ମନ୍ତ୍ରୀ ପଦ କାର୍ଯ୍ୟ ତୁଲାଇ ଥିଲେ । ସେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ରେ ୧୯୬୭,୧୯୭୧, ୧୯୮୫ ମସିହାରେ କୋଡିଙ୍ଗା ନିର୍ବାଚନ ମଣ୍ଡଳୀରୁ ୧୯୭୭ ଓ ୧୯୮୦ ରେ ପ୍ରତିନିଧିତ୍ବ କରି ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ରେ ନବରଙ୍ଗପୁର ଲୋକସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ଶ୍ରୀ ମାଝୀ ହାରିଥିଲେ । ସଂସ୍କୃତି ମନ୍ତ୍ରୀ ଭାବରେ ୪ଥର ରାଜ୍ୟ ମନ୍ତ୍ରିମଣ୍ଡଳରେ କାର୍ଯ୍ୟ କରିଛନ୍ତି । ୨୦୧୮ ଅକ୍ଟୋବରରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।




