ଗିରଫ ହେବ ବିଦେଶୀ ଜାହାଜ “ଏମଟି ୟୁନିଟ”
ପାରାଦୀପ: ବିଦେଶୀ ଜାହାଜ “ଏମଟି ୟୁନିଟ” କୁ ଗିରଫ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଏକ ସାମୁଦ୍ରିକ ମାମଲାର ଶୁଣାଣି କରି ପାରାଦୀପରେ ଥିବା ବିଦେଶୀ ଜାହାଜ “ଏମଟି ୟୁନିଟ” କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସୋଗ୍ଲାସି ଇନସୁ୍ୟରାନ୍ସ ଲିମିଟେଡ କମ୍ପାନୀ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ଆଡମିରାଲ ଜଜ୍ ଜଷ୍ଟିସ ଭି.ନରସିଂହ ଏହି ଆଦେଶ ଦେଇଛନ୍ତି ।
ସୂଚନା ମୁତାବକ, ଜାହାଜର କର୍ମଚାରୀଙ୍କ ବାକି ଦରମା ଏବଂ ଜାହାଜ ଚଳାଚଳ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଣ ବାବଦକୁ ସୋଗ୍ଲାସି ଇନସୁ୍ୟରାନ୍ସ କମ୍ପାନୀ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଥିଲା । ଜାହାଜର ମାଲିକଙ୍କୁ ଏହି ଟଙ୍କା ପରିଶୋଧ ପାଇଁ ଦାବି କରିଥିଲା କମ୍ପାନୀ । ମାତ୍ର ଜାହାଜ ମାଲିକ ଦୀର୍ଘ ଦିନ ହେବ ଏହାକୁ ପରିଶୋଧ କରିପାରିନଥିଲେ । ଯାହାକୁ ନେଇ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା ସୋଗ୍ଲାସି ଇନସୁ୍ୟରାନ୍ସ ଲିମିଟେଡ କମ୍ପାନୀ । ହାଇକୋର୍ଟ ଏହାକୁ ବିଚାର କରି ବାକି ଅର୍ଥର ଦାବି ଗ୍ରହଣଯାଗ୍ୟ ହୋଇଥିବାରୁ କୋର୍ଟ ଜାହାଜକୁ ଗିରଫ କରିବାକୁ ଆଦେଶ ଦେଇଥିଲେ । ତେବେ ଜାହାଜରେ ଥିବା ସାମଗ୍ରୀ ସହିତ ଏହି ମାମଲାର କୌଣସି ସମ୍ପର୍କ ନଥିବାରୁ ଜାହାଜରୁ ମାଲ ଖଲାସି କାର୍ଯ୍ୟ ଜାରି ରହିଛି ।




